ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଯଥା ୧.ସର୍ଗ
୨.ବିସର୍ଗ
୩.ସ୍ଥିତି
୪.ପୋଷଣ
୫.ଊତି
୬.ମନ୍ୱନ୍ତର
୭.ଈଶାନୁକଥା
୮.ନିରୋଧ
୯.ମୁକ୍ତି
୧୦.ଆଶ୍ରୟ
ଏହାକୁ ଭାଗବତଙ୍କର ଦଶବିଦ୍ଧ ତତ୍ୱ ବୋଲି ମଧ୍ୟ କୁହାଯାଏ। ଏସବୁର ତାତ୍ୱିକ ଆଲୋଚନା ନକଲେ ଏହାର ପ୍ରକୃତ ସ୍ୱରୂପ ବୁଝିବା କଷ୍ଟକର ହୋଇପାରେ। ତେଣୁ ପ୍ରତ୍ୟେକ ଲକ୍ଷଣକୁ ପର୍ଯାୟ କ୍ରମେ ଆଲୋଚନା କରି ତତ୍ୱ ନିର୍ଣ୍ଣୟ କରିବା।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-26-works-as-a-medicine-advice-given-in-bhagwat-gita/
୧.ସର୍ଗ:- ଗୁଣ ତ୍ରୟର ଭାରସାମ୍ୟ ରଖି, ପ୍ରକୃତି ପ୍ରତି କୃପାମୟଙ୍କ ଲକ୍ଷଣ ନିକ୍ଷେପ ଜନିତ କ୍ରିୟାରୁ ସୃଷ୍ଟିର ବୀଜସ୍ୱରୂପ ମହତତ୍ତ୍ୱ ସଂଜାତ ହୁଏ। ସେହି ମହତତ୍ତ୍ୱରୁ ତିନି ଗୁଣ (ସତ୍ୱ, ରଜ, ତମ )ଜନିତ ଅହଂକାର ଉତ୍ପନ୍ନ ହୁଏ। ସେହି ଅହଂକାରରୁ ପଞ୍ଚ ତନ୍ନାତ୍ର (ରୂପ, ରସ, ଗନ୍ଧ, ଶବ୍ଦ, ସ୍ପର୍ଶ)ଏବଂ ଏକାଦଶ ଇନ୍ଦ୍ରିୟ ଯଥା ପଞ୍ଚଜ୍ଞାନେନ୍ଦ୍ରୀୟ, ପଞ୍ଚକର୍ମେନ୍ଦ୍ରୀୟ ଓ ମନ। ଏହାସହିତ ପଞ୍ଚ ମହାଭୂତ, (କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ )ମଧ୍ୟ ଉଦଭବ ହୋଇଥାଏ।
ପରମାତ୍ମାଙ୍କ ଇଚ୍ଛାଶକ୍ତି ବଳରେ ପ୍ରକୃତି ଓ ପୁରୁଷଙ୍କ ସଂଯୋଗରୁ ଏହି କ୍ରିୟା ସମ୍ପାଦିତ ହୋଇଥାଏ। ସର୍ବ ଶକ୍ତିମାନ ଶ୍ରୀକୃଷ୍ଣଙ୍କ ଶକ୍ତି ସଂଚାରିତ ହେଲେ ପ୍ରକୃତି ଜଗତ ସୃଷ୍ଟି କରେ ଏବବିଧ ସୃଷ୍ଟି କର୍ମର ନାମ ସର୍ଗ। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ “ଦଶ ଇନ୍ଦ୍ରିୟ ପଞ୍ଚମାତ୍ର।
ମହତ ତୁଲେ ପଞ୍ଚ ଭୁତ।।
ତାହାଙ୍କ ଜନ୍ମ ସର୍ଗ କହି।
ଗୁଣ ବୈଷମ୍ୟୁ ଏଣେ ହୋଇ।।
ଏହି ପ୍ରକ୍ରିୟାର ମୂଳ କାରଣ ସୃଷ୍ଟି କର୍ତ୍ତା ଶ୍ରୀକୃଷ୍ଣ ଓ ଗୌଣ କାରଣ ମା ପ୍ରକୃତି ଯାହାଶ୍ରୀ ଚୈତନ୍ୟ ଚରିତାମୃତରେ ବର୍ଣ୍ଣିତ ହୋଇଛି। ଅତଏବ କୃଷ୍ଣ ମୂଳ ଜଗତ କାରଣ। ପ୍ରକୃତି କାରଣ ଜୈଛେ ଅଜା-ଗଳସ୍ତନ। ତେଣୁ ସେହି ପରମ ପୁରୁଷଙ୍କ ଲୀଳା ବର୍ଣ୍ଣନାରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ନିଶ୍ଚିତ ଭାବେ ଆମର ଧେୟ ଅଟେ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.