ଭୁବନେଶ୍ୱର: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ତେବେ ଏହି ନିର୍ଦ୍ଦେଶ ଆସିବା ପରେ ପ୍ରସ୍ତୁତ ହୋଇସାରିଛି ସମସ୍ତ ରାଜ୍ୟ। ଓଡିଶାରେ ୧୨ଟି ସ୍ଥାନରେ ମକ୍ଡ୍ରିଲ ହେବ।
ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରାଦୀପରେ ମକ୍ଡ୍ରିଲ୍ ହେବା ନେଇ ସୂଚନା ରହିଛି। ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍। ମକ୍ଡ୍ରିଲ୍ ନେଇ ନିର୍ଦ୍ଦେଶ ଦେଇଥିଲେ ଗୃହ ମନ୍ତ୍ରାଳୟ।
ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ବ ବହନ କରୁଛି। ବାଲେଶ୍ବର ଚାନ୍ଦିପୁରରେ ରହିଛି ଆଇଟିଆର କ୍ଷେପଣାସ୍ତ୍ର ଘାଟି। ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ। ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା। ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି। ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି।
ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକ ଥିଲେ। ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ଭାରତ ଯେ କୌଣସି ସମୟରେ ତା ଉପରେ ସାମରିକ ଆକ୍ରମଣ କରିପାରେ। ଏହାକୁ ନେଇ ପାକିସ୍ତାନ ହାଇ ଆଲର୍ଟରେ ରହିଛି। ଅନ୍ୟପଟେ, ଭାରତ ମଧ୍ୟ ଯୁଦ୍ଧଜନିତ ପରିସ୍ଥିତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି।
Comments are closed.