ଭୁବନେଶ୍ବର: ବର୍ତ୍ତମାନ ବିବାଦର ମୋଡ ନେଉଥିବା ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ । ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ କହିଛନ୍ତି ଯେ, ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ ।
ସେ ଆହୁରି କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ମନ୍ଦିରକୁ ଧାମ କହିବା ଠିକ୍ ନୁହେଁ ।
ସେହିପରି ଏତେ ବାଦ ବିବାଦ ସତ୍ତ୍ବେ ମଙ୍ଗଳବାର ସକାଳୁ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ଥାୟୀ ‘ଜଗନ୍ନାଥ ଧାମ’ ହୋର୍ଡିଂ ଲଗାଯାଇଛି ।
ପୁରୀ ଗଜପତି ମହାରାଜା ସୋମବାର ଏକ ପ୍ରେସ୍ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ଏପରକି ଦୀଘା ଜଗନ୍ନାଥ ମନ୍ଦିରକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବ ନାହିଁ ବୋଲି ଗଜପତି ମତ ରଖିଛନ୍ତି ।
ଏପଟେ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ଓଡ଼ିଶା ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବନି । ଦୀଘା ବେଳାଭୂମିକୁ ମଧ୍ୟ ମହୋଦଧି କୁହାଯାଇ ପାରିବନି । ଏ ବାବଦରେ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଥମେ ଚିଠି ଲେଖାଯିବ । ଯଦି ନମାନନ୍ତି ତାହାଲେ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।
Comments are closed.