Latest Odisha News

ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମକାରୀ କୁଲଦୀପ ସେଙ୍ଗରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଅପହରଣ ଏବଂ ବଳତ୍କାର ମାମାଲରେ ଦିଲ୍ଲୀର ତିସହଜାରୀ କୋର୍ଟ ଦୋଷୀ କୁଳଦୀପ ସେଙ୍ଗରକୁ ଆଜୀବନ କାରା ଦଣ୍ଡ ସହ ୨୫ ଲକ୍ଷ ଟଙ୍କାର ଦଣ୍ଡ ଶୁଣାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଜୋରିମାନା ଟଙ୍କାରୁ ଏଥିରୁ ୧୦ ଲକ୍ଷ ଟଙ୍କା ପୀଡିତାଙ୍କୁ ଦିଆଯିବ ଏବଂ ୧୫ ଲକ୍ଷ ଟଙ୍କା ସରକାରୀ ପକ୍ଷକାରଙ୍କୁ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ କୁଳଦୀପ ସେଙ୍ଗର ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ବୋଲି ଜଣାପଡିଛି।

ଅଭିଯୁକ୍ତ କୁଳଦୀପ ସେଙ୍ଗରକୁ ଡିସେମ୍ୱର ୧୬ ତାରିଖରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଡିସେମ୍ୱର ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିବା ବେଳେ ଶୁକ୍ରବାର ଦିନ ଶୁଣାଣି କରି କୋର୍ଟ କୁଳଦୀପ ସିଂହ ସେଙ୍ଗରକୁ ଆଜୀବନ କାରାବାସ ଦଣ୍ଡ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ନାବାଳିକା ସେଙ୍ଗରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ।

ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ବାରମ୍ବାର ପୁଲିସରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା । ସେଙ୍ଗର ସ୍ଥାନୀୟ ଅଂଚଳର ଜଣେ ଟାଣୁଆ ନେତା ହୋଇଥିବାରୁ ପୁଲିସ ଅଭିଯୋଗ ରଖି ନଥିଲା ‌ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।

ତେବେ ସେଙ୍ଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତା ବାରମ୍ବାର ଦାବି କରିବା ପରେ ତାଙ୍କ ବାପାଙ୍କୁ ସେଙ୍ଗରଙ୍କ ଭାଇ ଗୁଣ୍ଡା ଲଗାଇ ମାରପିଟ୍‌ କରିଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଏପ୍ରିଲ ୩ରେ ଗିରଫ କରି ଜେଲ୍‌ ପଠ‌ା ଯାଇଥିଲା । ଏପ୍ରିଲ ୯ ରେ ପିଡିତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା।

ସବୁଆଡୁ ନିରାଶ ହୋଇ ଶେଷରେ ପିଡୀତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ମଧ୍ୟ କରିଥିଲେ ।

ଉତ୍ତରପ୍ରଦେଶର ରାଏବରେଲିରେ ଚଳିତ ବର୍ଷ ଜୁଲାଇ ମାସରେ ପୀଡ଼ିତାଙ୍କ କାର୍‌କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଏହା ଫଳରେ ପୀଡ଼ିତାଙ୍କ ଦୁଇ ମାଉସୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ପୀଡ଼ିତା ଓ ତାଙ୍କ ଆଇନଜୀବୀ ଗୁରୁତର ହୋଇଥିବା ରିପୋର୍ଟରେ ପ୍ରକାଶ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସିଆରପିଏଫ୍‌ ସୁରକ୍ଷା ଦିଆଯାଇଥିଲା ।

ତେବେ ଦୀର୍ଘ ଦୁଇବର୍ଷ ଧରି ପୀଡ଼ିତା ନ୍ୟାୟ ପାଇଁ ଯେଉଁ ସଂଘର୍ଷ କରିଛନ୍ତି ଏବଂ ସେଙ୍ଗରଙ୍କ ଭଳି ଜଣେ ଟାଣୁଆ ନେତା ବିରୋଧରେ ପୀଡ଼ିତା ଯେଭଳି ଲଢ଼ିଛନ୍ତି ସେଥିପାଇଁ କୋର୍ଟ ପୀଡ଼ିତାଙ୍କୁ ପ୍ରଶଂସା କରିଥିଲେ ।

Comments are closed.