Latest Odisha News

BREAKING NEWS

ବଡ଼ଦିନରେ କାହିଁକି ସଜାଯାଏ କ୍ରିସମାସ ଟ୍ରି; ଜାଣନ୍ତୁ…

ଭୁବନେଶ୍ୱର:କ୍ରିସମାସ ବଡ଼ଦିନରେ କ୍ରିସ୍ମସ ଟ୍ରିର ରହିଛି ଅନେକ ମହତ୍ତ୍ୱ । ଏହାବିନା କ୍ରିସମାସ ଅଧୁରା ବୋଲି କୁହାଯାଏ ।

କଣ ଏହି କ୍ରିସମାସ ଟ୍ରି:

କ୍ରିସମାସ ଟ୍ରି ବା ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା ।

ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍‍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍‍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ ।

ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍‍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସମାସ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।

ପାରମ୍ପରିକ ଭାବେ କ୍ରିସମାସ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, ୱେଫର୍, ଚକମକିଆ ଝରା ବା ଝାଲେରୀ ଓ ମିଷ୍ଟାନ୍ନ ଇତ୍ୟାଦି ଦ୍ୱାରା ସଜାଇବାର ପ୍ରଥା ରହିଛି । ଅଷ୍ଟଦଶ ଶତାବ୍ଦୀରେ କ୍ରିସମାସ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ଏବଂ ଅଧୁନା ବିଦ୍ୟୁତ୍ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି ।

କିପରି ସଜାଯାଏ ଏହି କ୍ରିସମାସ ଟ୍ରି:

ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ନୂତନ ବଡ଼ଦିନ ମାଳା, ରଙ୍ଗବେରଙ୍ଗ ବଲ୍ ଓ ଚକୋଲେଟ୍ ଇତ୍ୟାଦିଦ୍ୱାରା ସଜାଯାଉଛି ।

ଗଛର ସର୍ବୋଚ୍ଚ ଭାଗରେ ଏକ ପ୍ରଜ୍ଜ୍ୱଳମାନ ତାରକା ଖଚିତ ହୋଇଥାଏ, ଯାହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର ବେଥ୍ଲେହେମ୍ ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍‍ଙ୍କ ସୂଚକ ।

ରିବନ୍ ଫିତା ସାହାଯ୍ୟରେ କ୍ରିସମାସ ଗଛର ଡାଳରୁ ଜିଞ୍ଜର୍ ବ୍ରେଡ଼୍ (ଅଦା ପାଉଁରୁଟି), ଚକୋଲେଟ୍ ଓ ଅନ୍ୟାନ୍ୟ ମିଷ୍ଟାନ୍ନ ଇଦ୍ୟାଦି ଖାଦ୍ୟ ପଦାର୍ଥ ଝୁଲାଇ ଦିଆଯାଏ ।

ପାଶ୍ଚାତ୍ୟ ଖ୍ରୀଷ୍ଟ ପରମ୍ପରାରେ ଦେଶ ଅନୁସାରେ କେଉଁ ଦିନ କ୍ରିସ୍ମସ୍ ଗଛ ଲଗାଯିବ ବା ହଟାଇ ଦିଆଯିବ, (ଆଗମନର ପ୍ରଥମ ଦିନ ବା ବଡ଼ଦିନର ପୂର୍ବ ସନ୍ଧ୍ୟାରେ) ସେଥିରେ ସାମାନ୍ୟ ଭିନ୍ନତା ଦେଖାଯାଏ ।

ମଧ୍ୟ-ଶୀତ ଋତୁରେ ପ୍ରାଚୀନ ରୋମାନ୍ ସାମ୍ରାଜ୍ୟରେ “ସାଟର୍ଣ୍ଣାଲିଆ” ବୋଲି ଏକ ପର୍ବ ପାଳିତ ହେଉଥିଲା ଯେଉଁଥିରେ ଘରମାନଙ୍କରେ ଚିରହରିତ୍ ଗଛର ପତ୍ର ଲଗାଇ ସଜାଯାଉଥିଲା ଓ ଏପରି ସବୁ ପ୍ରଥା ବଡ଼ଦିନ ଉପଲକ୍ଷେ କ୍ରିସମାସ ଗଛ ଲଗାଇବାର ପ୍ରଥାର ସମ୍ଭାବ୍ୟ ଉତ୍ସ ହୋଇପାରେ ବୋଲି କୁହାଯାଏ ।

କ୍ରିସମାସ ଗଛକୁ କେହି କେହି “ୟୁଲ୍ ଗଛ” ବା “ୟୁଲ୍ ଟ୍ରି ମଧ୍ୟ କହନ୍ତି ।

Leave A Reply

Your email address will not be published.