ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରଠୁ ଭାରତ ଓ ପାକିସ୍ତାନ ସୀମା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଦେଶର ଉତ୍ତର-ପୂର୍ବ ସୀମା ବାଂଲାଦେଶରେ ଚାଲିଛି ବଡ ପ୍ଲାନ୍ । ମିଆଁମାରରେ ଗୃହଯୁଦ୍ଧ ଚାଲିଥିବା ବେଳେ ଗତ କିଛି ବର୍ଷ ଧରି ବଡ଼ ସଂଖ୍ୟାରେ ରୋହିଙ୍ଗ୍ୟା ମୁସଲିମ୍ ବାଂଲାଦେଶରେ ଶରଣ ନେଇଛନ୍ତି । ସେମାନଙ୍କୁ ମିଆଁମାର ଫେରାଇବାକୁ ରାସ୍ତା ଖୋଜୁଛି ବାଂଲାଦେଶ । ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟେରେସ ଗତ ମାର୍ଚ୍ଚ ମାସରେ ଢାକା ଗସ୍ତ କରିଥିବା ସମୟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରାଇବା ପାଇଁ ମାନବୀୟ କରିଡର କରିବାକୁ ପ୍ରସ୍ତାବ ଦେଇଥିଲେ । ବାଂଲାଦେଶର ମହମ୍ମଦ ୟୁନୁସ ସରକାର ଏବେ ଏହି ପ୍ରକଳ୍ପକୁ ଆଗେଇ ନେବାକୁ ଉଦ୍ୟମ କରୁଛନ୍ତି । ତେବେ ଭାରତ ସହ ବାଂଲାଦେଶ ଓ ମିଆଁମାରର ଲମ୍ବା ସୀମା ରହିଥିବାରୁ ରୋହିଙ୍ଗ୍ୟାଙ୍କ ପାଇଁ କରିଡର ଭାରତର ଚିନ୍ତା ବଢାଇଛି ।
ରୋହିଙ୍ଗ୍ୟାଙ୍କ ପାଇଁ ମାନବୀୟ କରିଡର
ରୋହିଙ୍ଗ୍ୟା ପ୍ରସଙ୍ଗରେ ଉଚ୍ଚପ୍ରତିନିଧି ରହିଥିବା ଖଲ୍ଲିଲୁର ରେହମାନଙ୍କୁ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଏଥିରୁ ବାଂଲାଦେଶ ସରକାର କୌଣସି ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ସହମତି ବିନା ପ୍ରକଳ୍ପକୁ ଆଗକୁ ବଢାଇବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି । ବାଂଲାଦେଶର କକ୍ସ ବଜାରରେ ଅଧିକାଂଶ ରୋହିଙ୍ଗ୍ୟା ଶରଣାର୍ଥୀ ରହିଥିବା ବେଳେ ସେମାନଙ୍କୁ ମିଆଁମାରର ରଖାଇନ୍ ପଠାଇବାକୁ କରିଡରର ବ୍ୟବହାର କରାଯିବ ବୋଲି ବାଂଲାଦେସର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୋହିଦ୍ ହୁସେନ୍ କହିଛନ୍ତି । ତେବେ ୨୦୧୭ରୁ କକ୍ସବଜାରରେ ବସବାସ କରୁଥିବା ରୋହିଙ୍ଗ୍ୟା ଶରଣାର୍ଥୀ ମିଆଁମାରର ରଖାଇନ୍ ଯିବାକୁ ମନା କରିଆସୁଛନ୍ତି ।
ୟୁନୁସଙ୍କ ନିଷ୍ପତିକୁ ବିରୋଧ
ରୋହିଙ୍ଗ୍ୟାଙ୍କ ପାଇଁ ମାନବୀୟ କରିଡର ପ୍ରସ୍ତୁତ କରିବା ନେଇ ୟୁନୁସ ସରକାରଙ୍କ ଯୋଜନାକୁ ଶେଖ୍ ହାସିନାଙ୍କ ଦଳ ଆଓ୍ବାମୀ ଲିଗ୍ ସହ ଅନେକ ସଂଗଠନ ବିରୋଧ କରିଛନ୍ତି । ଅନ୍ତରୀଣ ସରକାର ଏଭଳି ନିଷ୍ପତି ନେଇ ପାରିବେନି ବୋଲି ବିରୋଧୀ କହିଛନ୍ତି। ମିଆଁମାରରେ ସାମରିକ ଜୁଣ୍ଟା ସରକାରଙ୍କ ବିରୋଧରେ କରିଡରର ବ୍ୟବହାର ହୋଇପାରେ ବୋଲି ଆଓ୍ବାମୀ ଲିଗ୍ କହିଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ମଧ୍ୟ ଏହି ନିଷ୍ପତିର ସମାଲୋଚନା କରିଛି । କରିଡର ଦ୍ବାରା ବାଂଲାଦେଶର ସଂପ୍ରଭୁତାକୁ ବିପଦ ହୋଇପାରେ ବୋଲି ଅନେକ ସଂଗଠନ ଆଶଙ୍କା ପ୍ରକାଶ କରିଛନ୍ତି ।
କାହିଁକି ଭାରତ ପାଇଁ ଚିନ୍ତା ?
ମିଆଁମାର ପାଇଁ କରିଡର ପ୍ରସ୍ତୁତ କରିବା ନିଷ୍ପତିର ପ୍ରଭାବ ଭାରତ ପାଇଁ ଚିନ୍ତା ବଢାଇଛି । ଭାରତ ମିଆଁମାର ସହ ଥିବା ୧୬ଶହ ୪୦କିଲୋମିଟର ଲମ୍ବା ସୀମାର ସୁରକ୍ଷା ପାଇଁ ଉଭୟ ଜୁଣ୍ଟା ଓ ବିଦ୍ରୋହୀ ଗୋଷ୍ଠୀ ସହ ଆଲୋଚନା କରୁଛି । ଖଲ୍ଲିଲୁର ରହମାନଙ୍କୁ ଆମେରିକାର କଟ୍ଟର ସମର୍ଥକ କୁହାଯାଏ । ତେଣୁ କରିଡର ପଛରେ ଆମେରିକାର ପ୍ରଚ୍ଛନ୍ନ ହାତ ଥିବା କୁହାଯାଉଛି । ନିକଟରେ ଆମେରିକାରର ଏକ ବଡ଼ କାର୍ଗୋ ଢାକାରେ ପହଞ୍ଚିଛି । ରୋହିଙ୍ଗ୍ୟାଙ୍କ ପାଇଁ କରିଡର ନାଁରେ ମିଆଁମାରରେ ଜୁଣ୍ଟା ବିରୋଧରେ ଲଢୁଥିବା ଆରାକାନ ଆର୍ମିକୁ ହତିଆର ପଠା ଯାଇପାରେ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ବାଂଲାଦେଶର ଆତଙ୍କବାଦୀ ସଂଗଠନ ଡ୍ରଗ୍ସ ଚୋରାଚାଲାଣ ପାଇଁ ମଧ୍ୟ କରିଡରର ବ୍ୟବହାର କରିପାରନ୍ତି । କାରଣ ମିଆଁମାର ଅଫିମ ଚାଷ ଓ ସିନ୍ଥେଟିକ୍ ଡ୍ରଗ ପ୍ରସ୍ତୁତିର ପ୍ରମୁଖ କେନ୍ଦ୍ର ରହିଛି । ଏଭଳି ସ୍ଥିତିରେ ବାଂଲାଦେଶ ଓ ମିଆଁମାର ସହ ଭାରତର ଲମ୍ବା ସୀମା ଚିନ୍ତା ବଢାଇଛି । ଏହି କରିଡର ଭାରତର ପୂର୍ବୋତ୍ତର ରାଜ୍ୟରେ ଅଶାନ୍ତିର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
Comments are closed.