ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି।
ଆଜି ୧ ହଜାର ଅଭିଯୋଗକାରୀ ଅନ୍ଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ୬ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି, ଆପତ୍ତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଥାନ୍ତି। ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।
ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ନୟାଗଡର ସନ୍ତୋଷ ବିଶ୍ୱାଳଙ୍କୁ ୫୦ ହଜାର ଟଙ୍କା, ଯାଜପୁରର ବିଷ୍ଣୁଚରଣ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ଲକ୍ଷ୍ମୀଧର ସେଠୀଙ୍କୁ ୧ ଲକ୍ଷ ଟଙ୍କା, କଟକର ସାତ୍ତ୍ୱିକ କରଙ୍କୁ ୧ ଲକ୍ଷ ଟଙ୍କା, କେନ୍ଦୁଝରର ନବୀନ କୁମାର ସେଠୀଙ୍କୁ ୨ ଲକ୍ଷ ଟଙ୍କା, ମୟୁରଭଞ୍ଜର ସୁନିତା ଚୌଧୁରୀଙ୍କୁ ୧ ଲକ୍ଷ ଟଙ୍କା, କଟକର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ୫୦ ହଜାର ଟଙ୍କା, ବୌଦ୍ଧର ନିଳକଣ୍ଠ ପ୍ରଧାନ ଓ ଯଦୁମଣୀ କର୍ମୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ, ଗଞ୍ଜାମର ଛାୟା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ବୁଦ୍ଧିଆ ମଣ୍ଡଳଙ୍କୁ ୧ ଲକ୍ଷ ଟଙ୍କା, ନବରଙ୍ଗପୁରର କମଳା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧାର କୈଳାସ ପଲେଇଙ୍କୁ ୧ ଲକ୍ଷ ଟଙ୍କା ଏବଂ କଟକର ସୁରେଶ କୁମାର ଜେନାଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦକୁ ୫୦ ହଜାର ଟଙ୍କା, ଏହିପରି ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।
Comments are closed.