Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪୨: ଶ୍ରୀକୃଷ୍ଣଙ୍କୁ ମଧ୍ୟରେ ରଖି ବହୁ ନର୍ତ୍ତକୀଙ୍କ ଦ୍ୱାରା ସମ୍ପାଦିତ ମଣ୍ଡଳାକାର ନୃତ୍ୟ ହିଁ ରାସ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ରାସକୁ ବିଭିନ୍ନ ଭାଗବତ ଟୀକାକାର ବିଭିନ୍ନ ପ୍ରକାରେ ଉପସ୍ଥାପିତ କରିଛନ୍ତି। ଶ୍ରୀପାଦ ଶ୍ରୀଧର ସ୍ୱମୀ ନିଜ ଟୀକାରେ ରାସର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଏହା ଶ୍ରୀକୃଷ୍ଣ ଓ ଗୋପାଙ୍ଗନା ମାନଙ୍କ ଏକ ବିଶେଷ ନୃତ୍ୟ ପ୍ରଣାଳୀ ଅର୍ଥାତ ଶ୍ରୀକୃଷ୍ଣଙ୍କୁ ମଧ୍ୟରେ ରଖି ବହୁ ନର୍ତ୍ତକୀ (ଗୋପାଙ୍ଗନା )ମାନଙ୍କ ଦ୍ୱାରା ସମ୍ପାଦିତ ମଣ୍ଡଳାକାର ନୃତ୍ୟ ହିଁ ରାସ।

ସେହିପରି ସୁବୋଧିନୀ ଟୀକାରେ ମହାତ୍ମା ବଲ୍ଳଭାଚାର୍ଯ୍ୟ ଏହାକୁ ନୃତ୍ୟସଙ୍ଗିନୀ ରସୋଉତ୍ପନକାରିଣୀ ଲୀଳା ରୂପେ ଅଭିହିତ କରିଛନ୍ତି। ଆଉ ଜଣେ ଟୀକାକାର ଶ୍ରୀପାଦ ଜୀବଗୋସ୍ୱାମୀ ଏହି ଅପୂର୍ବ ଲୀଳାକୁ ପରମରସକଦମ୍ବମୟ ଏକ କ୍ରୀଡା ରୂପେ ଚିତ୍ରଣ କରିଛନ୍ତି। ତେଣୁ ଏହି ନୃତ୍ୟଗୀତ ମୟ ଲୀଳା ବା କ୍ରୀଡାକୁ ହିଁ ରାସ ଭାବରେ ଅଭିହିତ କରିବା, କିନ୍ତୁ ଏକ ଚିରନ୍ତନ ସତ୍ୟ ଏହାଯେ ଏହି ଲୀଳା ବା କ୍ରୀଡାରେ ପ୍ରେମର ପରିପକ୍ଵତା ହେଉଥିବାର ବର୍ଣ୍ଣନା ମିଳେ। କେବଳ ତାହା ଜାଗତିକ ପ୍ରେମ ବା ଈଶ୍ୱରୀୟ ପ୍ରେମ ତାର ବର୍ଣ୍ଣନା ଦଶମ ସ୍କନ୍ଦ ଆଲୋଚନା ବେଳେ ବିଷଦ ଭାବରେ କରିବା।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-41-rasalila-is-the-play-or-expression-that-produces-a-full-expression-of-rasa/

ବର୍ତ୍ତମାନ କେବଳ ଏତିକି କୁହାଯାଇ ପାରେ ଗୀତ, ବାଦ୍ୟ ଓ ନୃତ୍ୟର ଛନ୍ଦରେ ଉଦୀପିତ ରତ୍ୟାଦି ଭାବ ପରିପ୍ରକାଶ ହୋଇ ଯେଉଁ ରସତ୍ବର ପ୍ରାପ୍ତି ହୁଏ ସେହି ପରିପୁଷ୍ଟ ରସ ରୂପକ ଲୀଳା ହିଁ ରାସ ଲୀଳା। କୃଷ୍ଣ ହୃଦବଲ୍ଳଭା ବ୍ରଜାଙ୍ଗନାମାନେ ସ୍ୱରୂପା ଶକ୍ତି ଅନ୍ତର୍ଗତ ହ୍ଲାଦିନୀଶକ୍ତିର ଅଂଶ ବିଶେଷ ହୋଇ ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧାନନ୍ଦ ପ୍ରଦାନ କରିବା ଉଦେଶ୍ୟରେ ଏହି ଲୀଳା ବା କ୍ରୀଡା ରଚିଥାନ୍ତି। ଏହା ଦ୍ୱାରା ମଧ୍ୟ ସେମାନେ ଦିବ୍ୟଆନନ୍ଦାତ୍ମିକା ରସ ଆସ୍ଵାଦନ କରିଥାନ୍ତି। ଅପୂର୍ବ ରାସ ପୀଠକୁ ପ୍ରବେଶ କରିବା ମାତ୍ରେ ଗୋପାଙ୍ଗନା ମାନଙ୍କ ଗମନ ହୋଇ ଯାଏ ନୃତ୍ୟ ଓ ବଚନ ହୋଇ ଯାଏ ସଂଗୀତ, ବୃନ୍ଦାବନର ରମଣ ରେତି ହିଁ ଏହି ପରମ ପାବନ ରାସ ପୀଠ। ଏହାକୁ କାଳିନ୍ଦୀ ନଦୀ ନିକଟ ବାଲି କୁଦ ବୋଲି ମଧ୍ୟ ଶ୍ରୀଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ବର୍ଣ୍ଣିତ ଅଛି
କାଳିନ୍ଦୀ ବାଲି କୁଦେ ଯାଇ।
ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ।।
ଯୋଗ ମାୟାର ବଳେ ହରି।
ଷୋଳ ସହସ୍ର ରୂପ ଧରି।।
ହୋଇଲେ ବେନି ବେନି ଜନ।
ଗୋପୀ ରମିଲେ ଭଗବାନ।।
ଉପର ପଦ ଗୁଡିକ ଅନୁଶୀଳନ କରିବା ଓ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ସହ କାନ୍ତା ଶିରୋମଣି ଶ୍ରୀ ରାଧାଙ୍କ ଵିଷୟରେ ଆଗକୁ ଆଲୋଚନା ଜାରି ରଖିବା। ଏବେ ଅମୃତ ରସର ଆସ୍ଵାଦନ ପାଇଁ ଶ୍ରୀମଦ ଭାଗବତଙ୍କ ଆଶ୍ରୟ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ)

Comments are closed.