ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇଛି। ଆଇପିଏଲର ୧୮ତମ ସିଜିନର ଟାଇଟଲ ମୁକାବିଲା ଆସନ୍ତା ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଆଇପିଏଲ୍ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଆଉ ଏବେ ଏହି ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦକୁ ଆଇପିଏଲ୍ ୨୦୨୫ର ଫାଇନାଲ ମ୍ୟାଚ ପାଇଁ ଚୟନ କରାଯାଇଛି। କେବଳ ଏତିକି ନୁହେଁ, ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଦୁଇଟି ପ୍ଲେଅଫ୍ ମ୍ୟାଚ୍ ଖେଳାଯିବା ନେଇ ଆଲୋଚନା ହେଉଛି।
ଆଇପିଏଲ୍ ୨୦୨୫ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମଝିରେ ଗୋଟିଏ ସପ୍ତାହ ପାଇଁ ବନ୍ଦ ଥିଲା କିନ୍ତୁ ପୁଣି ଥରେ ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହ ଦେଖାଦେଇଛି। ଏହା ବ୍ୟତୀତ ପ୍ଲେଅଫ୍ର ଚିତ୍ର ମଧ୍ୟ ଏବେ ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଲିଗର ତିନୋଟି ଦଳ ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ପ୍ଲେଅଫରେ ଏଣ୍ଟ୍ରି କରିଛନ୍ତି। ଏବେ ପ୍ଲେଅଫରେ କେବଳ ଗୋଟିଏ ଦଳ ପାଇଁ ସ୍ଥାନ ବାକି ଅଛି।
ଏବେ ଚତୁର୍ଥ ସ୍ଥାନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଆଉ ଏହି ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ସ୍ଥିତିରେ ରହିଛି। ଏପରି ପରିସ୍ଥିତିରେ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ, ସେମାନଙ୍କର ପ୍ଲେଅଫରେ ପହଞ୍ଚିବାର ସମ୍ଭାବନା ଅଧିକ ରହିବ।
Comments are closed.