ନୂଆଦିଲ୍ଲୀ: ଜାଲ୍ ସାର୍ଟିଫିକେଟ୍ ମାମଲାରେ ବହିଷ୍କୃତ ହୋଇଥିବା ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଉନ୍ତି । ଜଷ୍ଟିସ୍ ବି.ଭି. ନାଗାରଥନା ଏହି ମାମଲାର ଶୂଣାରି କରି ପୂଜାଙ୍କୁ ଜାମିନ୍ ଦେଇଥିବା ବେଳେ ପୂଜା ଖେଡକରଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରକାରକୁ ବିଚାର କରି ତାଙ୍କୁ ହାଇକୋର୍ଟରୁ ହିଁ ଆଗୁଆ ଜାମିନ ମିଳିବା ଉଚିତ ଥିଲା ବୋଲି ମତ ରଖିଛନ୍ତି ।
ସୁପ୍ରିମକୋର୍ଟ ବୁଧବାର ପୂର୍ବତନ ଭାରତୀୟ ପ୍ରଶାସନିକ ସେବା, ଆଇଏଏସ ପ୍ରଶିକ୍ଷାର୍ଥୀ ଅଧିକାରୀ ପୂଜା ଖେଡକରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଯାହାକୁ ଦିଲ୍ଲୀ ପୋଲିସ୍ ଦୃଢ଼ ବିରୋଧ କରି, ପୂଜା ତଦନ୍ତରେ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଥିବା ବେଳେ ଖେଡକରଙ୍କୁ ଆଶ୍ୱସ୍ତି ଦେଇ ସୁପ୍ରିମକୋର୍ଟ କହିଛନ୍ତି, ସେ କୌଣସି ଡ୍ରଗ୍ସ ମାଷ୍ଟର, ହତ୍ୟାକାରୀ କିମ୍ବା ଆତଙ୍କବାଦୀ ନୁହଁନ୍ତି । ପୂଜା ଖେଡକର ସବୁକିଛି ହରାଇଛନ୍ତି, ଏବେ ସେ କୌଣସି ସ୍ଥାନରେ ଚାକିରି ମଧ୍ୟ ପାଇବେ ନାହିଁ। ତାଙ୍କୁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରୁ ଆଗୁଆ ଜାମିନ୍ ମିଳିଯିବାର ଥିଲା । ତେଣୁ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ଏହାର ତଦନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପୂଜା ଖେଡକରଙ୍କୁ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଗତ ବର୍ଷ ଜୁନରେ ପୂଜା ଖେଡକରଙ୍କ ବିରୋଧରେ ସିଭିଲ ସର୍ଭିସେସ୍ ପରୀକ୍ଷାରେ ଠକେଇ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଦିବ୍ୟାଙ୍ଗ ବର୍ଗ ଅଧୀନରେ ସଂରକ୍ଷଣର ଅପବ୍ୟବହାର କରିବାର ଅଭିଯୋଗ ଆସିଥିଲା । ଖେଡକରଙ୍କ ବିରୋଧରେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ, ୟୁପିଏସସି ପରୀକ୍ଷା ଦେବା ସମୟରେ ତାଙ୍କ ପରିବାରର ଆୟ ସ୍ଥିତି ଏବଂ ଅନ୍ୟାନ୍ୟ ବିବରଣୀକୁ ଜାଲିଆତି ଏବଂ ଭୁଲ ଭାବରେ ଉପସ୍ଥାପନ କରିବା ଅଭିଯୋଗରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ, ୟୁପିଏସସି ତାଙ୍କୁ ଡକ୍ୟୁମେଣ୍ଟ ଜାଲିଆତି କରିଥିବାର ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କର ଚୟନକୁ ବାତିଲ କରିଦେଇଥିଲା। କମିଶନ ଖେଡକରଙ୍କୁ ଏହି ସମ୍ମାନଜନକ ପରୀକ୍ଷାରେ ଯୋଗଦେବାରୁ ଆଜୀବନ ପାଇଁ ନିଷେଧ କରିଥିଲା। ଯାହାର ଗୋଟିଏ ମାସ ପରେ, କେନ୍ଦ୍ର ତାଙ୍କୁ ସମସ୍ତ ଦାୟିତ୍ୱରୁ ମୁକ୍ତ କରିଥିଲା।
ଗତ ବର୍ଷ ଜୁନ୍ ମାସରେ ପୁନେ କଲେକ୍ଟର ସୁହାସ ଦିୱାସେ ମହାରାଷ୍ଟ୍ରର ମୁଖ୍ୟ ସଚିବ ସୁଜାତା ସୌନିକଙ୍କୁ ଏକ ଚିଠି ପଠାଇବା ପରେ ଖେଡକର ଏଭଳି ବିବାଦର ସାମ୍ନା କରିଥିଲେ । ଯେଉଁଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ଏକ କାର, କର୍ମଚାରୀ ଏବଂ କାର୍ଯ୍ୟାଳୟ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା। ବିବାଦ ପରେ, ଖେଡକରଙ୍କୁ ୱାଶିମକୁ ସ୍ଥାନାନ୍ତର କରାଯାଇଥିଲା। ଏହାର କିଛି ଦିନ ପରେ , ଖେଡକରଙ୍କ ଚୟନ ପ୍ରକ୍ରିୟା ଯାଞ୍ଚ ପରିସରକୁ ଆସିଥିଲା । ସେ ଓବିସି ଏବଂ ବିକଳାଙ୍ଗ କୋଟା ଅନୁଯାୟୀ ଛାଡ଼ ପାଇବା ପାଇଁ ଡକ୍ୟୁମେଣ୍ଟ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ପରେ ଏହା ଜଣାପଡ଼ିଲା ଯେ ଖେଡକରଙ୍କ ପିତା, ଜଣେ ପୂର୍ବତନ ମହାରାଷ୍ଟ୍ର ସରକାରୀ ଅଧିକାରୀ, ୪୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିଲେ, ଯାହା ତାଙ୍କୁ ଓବିସି ନନ୍-କ୍ରିମି ଲେୟାର ପାଇଁ ଅଯୋଗ୍ୟ କରିଥିଲା।
ତେବେ କହିରଖୁଛୁ, ଏହି ନିକଟରେ ସୁପ୍ରିମକୋର୍ଟ ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ। ଯଦି ପୂଜା ଖେଡକର ତଦନ୍ତରେ ସହଯୋଗ ନ କରନ୍ତି, ତେବେ କୋର୍ଟ ଏକ କଠୋର ନିଷ୍ପତ୍ତି ନେବେ ବୋଲି ମଧ୍ୟ ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ । ଏହି କ୍ରମରେ, ସୁପ୍ରିମକୋର୍ଟ ଆଜି ଅର୍ଥାତ୍ ୨୧ ମେ ପୂଜା ଖେଡକରଙ୍କୁ ଆଶ୍ବସ୍ତି ଦେଇ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।
Comments are closed.