ଭୁବନେଶ୍ୱର: ନୂଆ ସରକାର ରାଜ୍ୟର ଶାସନ ଭାର ହାତକୁ ନେବା ପରେ ବେଆଇନ ମାଦକ ଦ୍ରବ୍ୟ କାରବାର ଆନେକାଂଶରେ ହ୍ରାସ ପାଇଛି। ଅବକାରୀ ବିଭାଗ, ପୋଲିସ ପ୍ରଶାସନ ଏବଂ ସ୍ପେସାଲ୍ ସ୍କ୍ୱାର୍ଡ ଜରିଆରେ ନିୟମିତ ଚଢ଼ାଉ କରାଯାଇ ଅନେକ ବେଆଇନ ମଦଭାଟିକୁ ବନ୍ଦ କରାଯିବା ସହ ପ୍ରସ୍ତୁତି ସାମଗ୍ରୀ ଓ ଗାଡ଼ି ଜବତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତଥାପି ଏ ଦିଗରେ ଅଧିକ କାର୍ଯ୍ୟ କରି ରାଜ୍ୟରୁ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଚଳିତ ୨୦୨୫ ମଇ ୩୧ରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ରୋକିବା ଦିଗରେ ସଚେତନତା କାର୍ଯର୍କ୍ରମ ନେଇ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ହରିଚନ୍ଦନ କହିଲେ ଯେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ବିରୋଧରେ ସାରା ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରେ ସଚେତନତାର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ। ପାଲା, ଦାସକାଠିଆ, ଘୋଡ଼ାନାଚ ଆଦି ସହ ବିଭିନ୍ନ ହାଟବଜାର ଅଞ୍ଚଳରେ ପଥପ୍ରାନ୍ତ ନାଟକ ଜରିଆରେ ବେଆଇନ ନିଶା ସେବନ କାରବାରର କୁପରିଣତି ନେଇ ସଚେତନତା କରୁବାକୁ ହେବ।
ଏଥି ସହ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍ ସ୍ତରରେ ସଚେତନତା ରଥ ଜରିଆରେ ସବୁବର୍ଗଙ୍କୁ ସଚେତନ କରାଇବା ନେଇ ଉପସ୍ଥିତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଦିନ କ’ଣ ସବୁ କାର୍ଯ୍ୟକ୍ରମ କରାଯିବ ସେଥିନେଇ ତାଲିକା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କୁଲସ୍ତରରେ ହେବ ପ୍ରବନ୍ଧ ପ୍ରତିଯୋଗିତା। ବୁଲିବ ସଚେତନତା ରଥ। ବେଆଇନ୍ ମାଦକ ଦ୍ରବ୍ୟ କାରବାର ଓ ଗଞ୍ଜେଇ ଚାଷ ରୋକିବାକୁ ପଦକ୍ଷେପ ନିଆଯିବ। ବିଭିନ୍ନ ବିଭାଗ ଜରିଆରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ‘Say Yes to Life, No to Drugs‘ ସଂକଳ୍ପ କାର୍ଯ୍ୟକ୍ରମ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ ମାନସ ପୋର୍ଟାଲ(MANAS Portal) ଏବଂ ୧୯୩୩ ହେଲପ୍ଲାଇନ୍ ନମ୍ବର ଉପଯୋଗ ବିଷୟରେ ଲୋକଙ୍କୁ ସଚେତନ କରାଯିବ।
Comments are closed.