ଭାରତୀୟ କ୍ରିକେଟର ନୂଆ ଯୁଗ ଆରମ୍ଭ ହୋଇଛି । କୂଟନୀତି, ରଣନୀତି ଏବଂ ହାତମୁଠାରେ ସବୁ କିଛି ରଖିବା ପାଇଁ କୋଚ ଏବଂ ଚୟନ କମିଟି ପ୍ରଭାବଶାଳୀ ହୋଇଛନ୍ତି । ଫୁଟବଲ ପରି କ୍ରିକେଟରେ ଏବେ ଅଧିନାୟକ ବଦଳରେ କୋଚ ଶକ୍ତିଶାଳୀ ହେବା ସମୟ ଉପନୀତ ହୋଇଛି । କୋଚ ଗୌତମ ଗମ୍ଭୀର କ୍ରିକେଟରେ ଏହି ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ସିନିୟର ଖେଳାଳିଙ୍କୁ ଚାପ ପକାଇ ଅବସର ନେବା ପାଇଁ ବାଧ୍ୟ କରାଯାଇଥିଲା । ସମ୍ମାନ ଦୃଷ୍ଟିକୋଣରୁ ସେମାନେ ଦୂରେଇଯିବାକୁ ବାଧ୍ୟ ହୋଇଥିଲେ ।
ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଶୁଭମନ ଗିଲଙ୍କୁ ଅଧିନାୟକ କରାଯାଇଛି । ଗିଲ କଣ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ ? ଗମ୍ଭୀରଙ୍କ କାଠକଣ୍ଢେଇ ପାଲଟି ଯିବେନି ତ ଗିଲ । ଆଇପିଏଲରେ ଅବଶ୍ୟ ଗିଲଙ୍କ ନେତୃତ୍ୱରେ ଗୁଜରାଟ ଟାଇଟାନ୍ସର ପ୍ରଦର୍ଶନ ଭଲ ରହିଛି । ଜଣେ ଭଲ ଅଧିନାୟକ ହେବାର ସମସ୍ତ ଦକ୍ଷତା ତାଙ୍କ ନିକଟରେ ରହିଛି । ଗିଲଙ୍କୁ ଗମ୍ଭୀର କଣ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବେ । ଏହା ସମ୍ଭବପର ମନେ ହେଉନି ।
ଗମ୍ଭୀର ଯେଉଁ ଟିମର ଦାୟିତ୍ୱ ନେଇଛନ୍ତି ସେଥିରେ ଖେଳାଳି ଚୟନଠାରୁ ଆରମ୍ଭ କରି ସମସ୍ତ କଥାରେ ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି । ଗିଲଙ୍କୁ ପପେଟ କ୍ୟାପଟେନ କରି ଗମ୍ଭୀର ଟିମ ଇଣ୍ଡିଆର ଏବେ ନେବେ ସମସ୍ତ ନିଷ୍ପତି । ଏଥିରେ ଟିମ ଇଣ୍ଡିଆର ଲାଭ କି କ୍ଷତି ହେବ ତାହା ଭିନ୍ନ କଥା । ଭାରତୀୟ କ୍ରିକେଟରେ ଅଧିନାୟକ ପଦ ଏବେ ଗୁରୁତ୍ୱ ହରାଇବ କି ? ଅଳ୍ପ ଟେଷ୍ଟ ଖେଳିଥିବା ନୂଆ ଅଧିନାୟକ କିପରି କୋଚଙ୍କ ନିଷ୍ପତି ବିରୋଧରେ ମୁହଁ ଖୋଲିବେ । ତାଙ୍କ କଥାକୁ ସମର୍ଥନ କରିବା ପାଇଁ ଦଳରେ ସେଭଳି ସିନିୟର ଖେଳାଳି ମଧ୍ୟ ନାହାନ୍ତି । ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ନୀରବ ରହିବା ଉଚିତ ମନେ କରିବେ ।
ଗମ୍ଭୀର ତାଙ୍କଠାରୁ ଅଧିକ ଟେଷ୍ଟ ଖେଳିଥିବା ଖେଳାଳି ଓ ସହକର୍ମୀଙ୍କୁ ପାଖରେ ରଖି ନାହାନ୍ତି । ସେ ଏବେ ଟିମ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ଖେଳାଳି, କୋଚ ଓ କ୍ୟାପଟେନର ଭୂମିକା ତୁଲାଇବେ । କ୍ୟାରିୟର ଦୃଷ୍ଟି କୋଣରୁ ଗିଲ ୟେସ ସାର କହିବା ବ୍ୟତୀତ ତାଙ୍କ ନିକଟରେ ଆଉ କିଛି ବିକଳ୍ପ ନାହିଁ । ଟିମର ଖରାପ ପ୍ରଦର୍ଶନରେ ଗିଲଙ୍କ ନେତୃତ୍ୱ ଉପରେ ଆଙ୍ଗୁଳି ଉଠିବ କିନ୍ତୁ ସଫଳତାର ଶ୍ରେୟ ଗମ୍ଭୀର ନେଇଯିବେ । ଇଂଲଣ୍ଡ ବିପକ୍ଷ ସିରିଜ ମନକୁ ଆସୁଥିବା ଏହି ସବୁ ଦ୍ୱନ୍ଦ୍ୱ ଦୂର କରିବ ବୋଲି ଆଶା କରାଯାଉଛି ।
Comments are closed.