କଟକ:ଦୁଇ ଜଣ ଓଡ଼ିଆ ଯୁବକଙ୍କ ପାକିସ୍ତାନର ଗୁଣଗାନ କରିବା ପଡିଲା ମହଙ୍ଗା। ‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ସୌରଭ କୁମାର ସାହୁ (୨୭) ଓ ଗୌତମ ଲେଙ୍କା (୨୮)। ଉଭୟଙ୍କ ଘର ମହାନଦୀ ବିହାର ଅଞ୍ଚଳରେ ବୋଲି ଜଣାପଡିଛି ।
ସୂଚନାମୁତାବକ, ଗତ ୧୫ ତାରିଖ ଦିନ ମହାନଦୀ କୁଳ ଗାନ୍ଧିପଲ୍ଲୀ ଗଡା ନିକଟରେ ଏହି ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ଅଭିଯୁକ୍ତ ସୌରଭ “ପାକିସ୍ଥାନ ଜିନ୍ଦାବାଦ” ନାରା ଦେଇଥିଲା ଏବଂ ଗୌତମ ଏହାକୁ ମୋବାଇଲରେ ରେକର୍ଡ କରିଥିଲା । ଏହା ପରେ ଉକ୍ତ ଭିଡିଓକୁ ଭାଇରାଲ୍ କରିଥିଲେ ଅଭିଯୁକ୍ତ ।
ପହଲଗାମ ଆକ୍ରମଣ ଓ ଆକ୍ରମଣ ସିନ୍ଦୂରକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ଉତ୍ତେଜନା ପରିସ୍ଥିତି ଥିବା ବେଳେ ସାଧାରଣ ଜନତା ଭାଇରାଲ ଭିଡିଓକୁ ତୀବ୍ର ଆଲୋଚନା କରିଥିଲେ। ଏନେଇ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କର ଠାରୁ ୨ଟି ମୋବାଇଲ ଜବତ କରିଛି।
ଗିରଫ ସୌରଭ ନାଁ ରେ ପୂର୍ବରୁ ଚାଉଳିଆଗଞ୍ଜ ଥାନାରେ ଦୁଇଟି ମାମଲା ଥିବା ସୂଚନା ଦେଇଛି କମିଶନରେଟ ପୋଲିସ । ସେପଟେ ଦୁଇ ଅଭିଯୁକ୍ତ କଟକ ସହରର ସାମ୍ପ୍ରଦୟିକ ସଦଭାବ ଓ ସମନ୍ୱୟକୁ ନଷ୍ଟ କରି ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା କମିଶନରେଟ ପୋଲିସର ସୂଚନା ଦେଇଛି ।
Comments are closed.