Latest Odisha News

BREAKING NEWS

୧୦ ଫୁଟ ଲମ୍ବର ଅଜଗର ଓ ସାପ ଅଣ୍ଡା ଉଦ୍ଧାର: କୃତ୍ରିମ ଉପାୟରେ ଅଣ୍ଡା ଫୁଟେଇବାକୁ ଡିଏଫଓଙ୍କ ନିର୍ଦ୍ଦେଶ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ଏହି ଘଟଣାଟି ୨୪ ତାରିଖ ସନ୍ଧ୍ୟାରେ ଘଟିଛି। ସମସ୍ତ ଅଣ୍ଡା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର ହୋଇଥିବା ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟାଯିବା ନେଇ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି ଗାଁ ନିକଟରେ ଏକ ବିରାଟକାୟ ସାପକୁ ଦେଖି ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ହାତୀ ସ୍କ୍ୱାର୍ଡ କର୍ମଚାରୀ ଦୀପକ ସାହୁ ଓ ସାଥୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହିତ ୫୦ରୁ ଅଧିକ ସାପ ଅଣ୍ଡା ଗୁଡ଼ିକ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ କପିଳାସ ଚିଡିଆଖାନାକୁ ସ୍ଥାନାନ୍ତରିତ କରିଥିବା ନେଇ ବନ ବିଭାଗ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।

ଗତ ୨୫ ତାରିଖ ସନ୍ଧ୍ୟା ବେଳେ ସାପ ଉଦ୍ଧାର ସ୍ଥାନରୁ ପ୍ରାୟ ୫ କିମି ଦୂରରେ ନିମିଧା ଆସ୍ ପଣ୍ଡ ନିକଟରେ ମାଟିରେ ଗାତ କରି ଉଭୟ ଅଣ୍ଡା ଏବଂ ୧୦ ଫୁଟ ଲମ୍ବର ଅଜଗର ସାପକୁ ଛାଡ଼ି ଦେଇଥିଲେ। ଏଇ ଘଟଣା ଆଜି ଖବରକାଗଜରୁ ପଢ଼ି ଭୁବନେଶ୍ୱରରୁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏକ ତିନି ଜଣିଆ ଟିମ୍ ମେରାମୁଣ୍ଡଳି ଫରେଷ୍ଟର ସୁବାସ ସାହୁଙ୍କ ସହିତ ଜଙ୍ଗଲର ଯେଉଁ ସ୍ଥାନରେ ଅଣ୍ଡା ଗୁଡ଼ିକ ରଖା ଯାଇଥିଲା ସେଇ ସ୍ଥାନକୁ ଯାଇଥିଲେ। କିନ୍ତୁ ଅଜଗର ସାପଟି ଘଟଣା ସ୍ଥଳରେ ନଥିଲା।

ଯଦିଓ ଗତ ଉପରେ ବେଣା ଗଛ ଘୋଡେ଼ଇ ରଖା ଯାଇଥିଲା, କିନ୍ତୁ ଗତ କାଲି ବର୍ଷା ହେବା ଯୋଗୁଁ ଅନେକ ଅଣ୍ଡା ରେ ଫିମ୍ପି ମାରି ଯାଇଥିବା ଦେଖିବାକୁ ମିଳିଥିଲା। ଅଣ୍ଡା ଗୁଡିକୁ ଯତ୍ନର ସହିତ ସେଇ ଗାତରୁ ଉଦ୍ଧାର କରି ଢେଙ୍କାନାଳ ରେଞ୍ଜ ଅଫିସକୁ ଅଣା ଯାଇଥିଲା। ରେଞ୍ଜ ଅଫିସରେ ଭଲ ଅଣ୍ଡା ଗୁଡ଼ିକୁ ନଷ୍ଟ ହୋଇ ଯାଇଥିବା ଅଣ୍ଡା ଗୁଡ଼ିକ ଠାରୁ ଅଲଗା କରିଥିଲେ ଶୁଭେନ୍ଦୁ ମଲ୍ଲିକ। ସମୁଦାୟ ୨୦ଟି ଅଣ୍ଡାରୁ ଦୁଇଟି ବା’ ଅଣ୍ଡା ବା ଅନଫର୍ଟିଲାଇଜଡ ଅଣ୍ଡା ଥିବା ବେଳେ ଅନ୍ୟ ୧୦ଟି ଅଣ୍ଡା ଫିମ୍ପି ଏବଂ ଅନ୍ୟ କାରଣରୁ ନଷ୍ଟ ହୋଇଯାଇଛି। ମାତ୍ର ୮ଟି ଅଣ୍ଡା ଭଲ ଥିବାରୁ ଢେଙ୍କାନାଳ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ରେଞ୍ଜ ଅଫିସ କାର୍ଯ୍ୟାଳୟରେ ହିଁ ଅଣ୍ଡା ଗୁଡ଼ିକ କୃତ୍ରିମ ଉପାୟରେ ଫୁଟାଇବା ପାଇଁ ଚେଷ୍ଟା କରାଯିବ।

ଅଜଗର ସାପ ଅଣ୍ଡା ଦେବା ପରେ ଫୁଟିବା ପର୍ଯ୍ୟନ୍ତ ପ୍ରାୟ ୭୦-୮୦ ଦିନ ଯାଏଁ ଜଗି ରହିଥାଏ । ଖାଲି ସେତିକି ନୁହେଁ, ସାପ ନିଜେ ଖୋଜି ଖୋଜି ଏମିତି ସ୍ଥାନ ବାଛି ଅଣ୍ଡା ଦେଇଥାଏ ଯେମିତି ବାହାର ଶତ୍ରୁ ମାନଙ୍କ ଆଖିରେ ସହଜରେ ପଡ଼ିବ ନାହିଁ ଏବଂ ଆବଶ୍ୟକୀୟ ଉଷ୍ମତା ଏବଂ ଆର୍ଦ୍ରତା ସଠିକ୍ ପରିମାଣରେ ମିଳିବ। କିନ୍ତୁ, ସାପ ଯେଉଁ ସ୍ଥାନରେ ଅଣ୍ଡା ଦେଇଥାଏ, ସେଇ ସ୍ଥାନରୁ ତାକୁ ଧରି ଅନ୍ୟ ସ୍ଥାନକୁ ନେଇ ଗଲେ, ସେ ଆଉ ଅଣ୍ଡାକୁ ଜଗି ରହେ ନାହିଁ କିମ୍ବା ଅଣ୍ଡା ଫୁଟିବା ପାଇଁ ଠିକ୍ ପଶିବେଶ ମିଳେ ନାହିଁ। ସବୁ ଅଣ୍ଡା ନଷ୍ଟ ହୋଇଯାଏ ।

ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “୨୦୧୭ ମସିହାରେ ରେଢ଼ାଖୋଲରେ ସମାନ ଏକ ଘଟଣାରେ ଆମେ ୨୨ରୁ ୨୮ଟି ଅଣ୍ଡା ରେଢ଼ାଖୋଲ ରେଞ୍ଜ ଅଫିସରେ ଫୁଟେଇବାରେ ସଫଳ ହେଇଥିଲୁ। ସେହିପରି ଅଣ୍ଡା ଜଗିଥିବା ଏକ ଅଜଗର ସାପକୁ ୨୦୨୧ ମସିହାରେ ବ୍ୟାରିକେଡ଼ କରି ଖୋର୍ଦ୍ଧା ଜିଲ୍ଲା ଗଡ ନିଆଳ ଗ୍ରାମରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଏବଂ ବନ କର୍ମଚାରୀ ମାନେ ଅଜଗର ଓ ଅଣ୍ଡାକୁ ସୁରକ୍ଷା ଦେଇଥିଲେ। ଶେଷରେ ହଳଦିଆ ରେଞ୍ଜ ଅଫିସ ପରିସରରେ କୃତ୍ରିମ ଉପାୟରେ ଅଣ୍ଡା ଫୁଟିବା ବ୍ୟବସ୍ଥା କରା ଯାଇଥିଲା ଏବଂ ୩୦ରୁ ମୋଟ ୨୭ଟି ଅଣ୍ଡା ଫୁଟି ଥିଲା।”

Comments are closed.