Latest Odisha News

BREAKING NEWS

ବିଦେଶ ଗସ୍ତରେ ଥିବା ଗୁଲାମ ନବୀ ଆଜାଦ ଅସୁସ୍ଥ, କାରଣ ହେଲା…

ନୂଆଦିଲ୍ଲୀ:କୁଏତ ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।ଗୁଲାମ ନବୀ ଆଜାଦ ଯେଉଁ ପ୍ରତିନିଧିମଣ୍ଡଳର ଅଂଶ, ତାହାର ନେତୃତ୍ୱ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନେଉଛନ୍ତି। ଏକ୍ସରେ ଫଟୋ ସେୟାର କରି ସେ ଲେଖିଥିଲେ ଯେ ଆଜାଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଏଥିସହ ଖୋଦ୍ ଗୁଲାମ ନବୀ ଆଜାଦ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଅସୁସ୍ଥତାର କାରଣ  କହିଛନ୍ତି ।

ସେ ଏକ୍ସରେ ଏକ ପୋଷ୍ଟ ଜରିଆରେ କହିଛନ୍ତି ଯେ, “କୁଏତର ପ୍ରଚଣ୍ଡ ଗରମ ମୋ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲେ ମଧ୍ୟ ଆଲ୍ଲାହଙ୍କ କୃପାରୁ ମୁଁ ଭଲ ଅଛି । ସୁସ୍ଥ ହେଉଛି ଓ ମୋର ଅବସ୍ଥାରେ ଉନ୍ନତି ହେଉଛି। ସମସ୍ତ ଟେଷ୍ଟ ଫଳାଫଳ ସ୍ୱାଭାବିକ ଅଛି। ଆପଣଙ୍କ ଚିନ୍ତା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏହା ପ୍ରକୃତରେ ମୋ ପାଇଁ ବହୁତ ଅର୍ଥ ରଖେ।”

ବୈଜୟନ୍ତ ପଣ୍ଡା ଆହୁରି ମଧ୍ୟ ଗୁଲାମ ନବୀ ଆଜାଦଙ୍କ ପ୍ରଶଂସା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଅସୁସ୍ଥ ଥିବା ସତ୍ତ୍ବେ ଦୁଇ ଦେଶର ବ୍ୟସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ପାଇଁ କହିବା ଆପଣଙ୍କ ସମର୍ପଣକୁ ଦର୍ଶାଉଛି । ଏହା ଅତ୍ୟନ୍ତ ପ୍ରଶଂସନୀୟ ।

ତାଙ୍କ ସହିତ ବିଦେଶ ଗସ୍ତରେ ଯାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ପୂର୍ବରୁ ଅସୁସ୍ଥ ଥିବା ସତ୍ତ୍ବେ ସେ ପ୍ରତିନିଧିମଣ୍ଡଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ସମୟରେ ଏପରି ରାଜନେତା ଖୋଜିବା କଷ୍ଟକର। ସେ କହିଥିଲେ ଯେ ଯେତେବେଳେ ଆମେ ହସ୍ପିଟାଲରେ ଗୁଲାମନବୀ ଆଜାଦଙ୍କୁ ଭେଟିବାକୁ ଗଲୁ, ତାଙ୍କ ଆଖି ଲୁହରେ ଭରି ଯାଇଥିଲା।

Comments are closed.