ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ପୋଡ଼ା ନୋଟ୍ ବସ୍ତା ଉଦ୍ଧାର ଘଟଣାରେ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କ ବିରୁଦ୍ଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି।
ତେବେ ଏହି ମହାଭିଯୋଗ ଆଣିବା ଉପରେ ପୂର୍ବତନ ଏଏସଜି ଏବଂ ବରିଷ୍ଠ ଓକିଲ ଅମନ ଲେଖି କହିଛନ୍ତି ଯେ ଏହି ସମସ୍ୟାକୁ ସଠିକ୍ ଭାବରେ ସମାଧାନ କରାଯିବା ଉଚିତ୍। ଯଦି ଜଷ୍ଟିସ୍ ବର୍ମାଙ୍କ ପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଲୋକଙ୍କ ମନରୁ ଦଣ୍ଡିତ ହେବାର ଭୟ ଶେଷ ହୋଇଯିବ। ତେଣୁ ମହାଭିଯୋଗ ନିହାତି ଆବଶ୍ୟକ।
ଏହି ପ୍ରସଙ୍ଗକୁ ନେଇ ସିପିଆଇ ମହାସଚିବ ଡି. ରାଜା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନ ମଧ୍ୟରେ ଅନ୍ତର୍ଭୁକ୍ତ ରହି କାମ କରିବାକୁ ପଡେ ଏହା ନ୍ୟାୟପାଳିକା ମଧ୍ୟ ବୁଝିବା ଦରକାର। ତେବେ ନ୍ୟାୟ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ଫେରାଇ ଆଣିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ସେ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରୁଥିବା କହିଛନ୍ତି। କିନ୍ତୁ ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଏହି ମହାଭିଯୋଗ ପ୍ରସ୍ତାବ କେବେ ଅଣାଯିବ।
ତେବେ ଗତ ମାର୍ଚ୍ଚ ମାସ ୧୪ ତାରିଖରେ ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀର ଲୁଟୟନ୍ସସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଯାଇଥିଲା। ଯାହା ପରେ ତାଙ୍କ ଘରର ଷ୍ଟୋର ରୁମରୁ ପୋଡିଯାଇଥିବା ୫୦୦ ଟଙ୍କିଆ ଭର୍ତ୍ତି ବସ୍ତା ମିଳିଥିଲା। ଏହି ଘଟଣା ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରି ଦିଆଯାଇଥିଲା।
Comments are closed.