Latest Odisha News

BREAKING NEWS

ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅନୁଗୁଳର ସିଲକା ସେଲୋନୀ ପୁରସ୍କୃତ

ଭୁବନେଶ୍ୱର: ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଥିବା ଏବଂ ଉଦୀୟମାନ ମହିଳା ମାନଙ୍କୁ ଭୁବନେଶ୍ୱରର ଓଡିଶୀ ଗବେଷଣା କେନ୍ଦ୍ରଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦେଶର ଅଗ୍ରଣୀ ପ୍ରାଣୀ ସୁରକ୍ଷା କର୍ମୀ ମାନେକା ଗାନ୍ଧୀ ଅନୁଗୁଳର ଝିଅ ସିଲକା ସେଲୋନୀଙ୍କୁ ପୁରସ୍କୃତ କରିଥିଲେ।

ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସିଲକା ସେଲୋନୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରୋଟାରୀ କ୍ଲବ (RID- ୩୨୬୨) ତରଫରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।

ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ଗ୍ରାମର ଝିଅ ସିଲକା ସେଲୋନୀ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ନେକ ହେଲ୍ପ ଲାଇନର ବରିଷ୍ଠ ସଦସ୍ୟ ହିସାବରେ ଉଭୟ ଅନୁଗୁଳ ଏବଂ ଭୁବନେଶ୍ୱରରେ ଅନେକ ସାପ ଉଦ୍ଧାର କରିଛନ୍ତି। ସ୍କୁଲ କଲେଜରେ ଭାଷଣ ଦେଇ ପିଲା ମାନଙ୍କୁ ସଚେତନ କରିଛନ୍ତି। ବର୍ତ୍ତମାନ ରାଜ୍ୟର ଅଗ୍ରଣୀ ସମ୍ବାଦପତ୍ରରେ ଅନୁଗୁଳ ସଂସ୍କରଣ ରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରେ ଜଣେ ଲୋକ ତାର ୨୨ ବର୍ଷର ସ୍ତ୍ରୀ ଏବଂ ୨ ବର୍ଷର ଝିଅକୁ ନାଗ ସାପ କାମୁଡେଇ ହତ୍ୟା କରିଥିଲା । ଦେଢ଼ ମାସ ପର୍ଯ୍ୟନ୍ତ ପୋଲିସ କିଛି ଥଳକୁଳ ପାଇ ନଥିଲା । ଭୁବନେଶ୍ୱରରୁ ସ୍ନେକ୍ ହେଲ୍ପ ଲାଇନର ଏକ ୫ଜଣିଆ ଟିମ୍ ଯାଇଥିଲା। ସେମାନେ ମାମଲାର ଅନୁସନ୍ଧାନ କରି ତଥ୍ୟ ପ୍ରମାଣ ଦେବା ପରେ ଅଭିଯୁକ୍ତ ଗିରଫ ହୋଇଥିଲା। ସ୍ନେକ ହେଲ୍ପ ଲାଇନର ସେଇ ୫ ଜଣିଆ ଟିମରେ ସିଲକା ସେଲୋନୀ ଏକ ମାତ୍ର ମହିଳା ସଦସ୍ୟ ଥିଲେ।

ତେବେ ପୂର୍ବରୁ ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ବିଜୁ କନ୍ୟା ରତ୍ନ ପୁରସ୍କାର, ଅନୁଗୁଳ ବନଖଣ୍ଡ ତରଫରୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ସିଲକା ସେଲୋନୀ।

 

Comments are closed.