Latest Odisha News

BREAKING NEWS

ପାଣି ପାଇଁ ଆଁ କଲାଣି ପାକିସ୍ତାନ ମାଟି, କାନ୍ଦିଲେଣି ପ୍ରଧାନମନ୍ତ୍ରୀ ଶହବାଜ୍!

ନୂଆଦିଲ୍ଲୀ: ପାଣି ପାଇଁ ଏବେ ବଡ ହିନସ୍ତା ହେଉଛି ପାକିସ୍ତାନ । ଖାଲି ଆଖିର ଲୁହ ଛାଡିଦେଲେ, ପାକିସ୍ତାନ ପାଖରେ ପାଣିର ବିକଳ୍ପ କିଛି ନାହିଁ । ଫାଟି ଆଁ କଲାଣି ପାକିସ୍ତାନର କୃଷି ଜମି । ଭାରତ ସାଙ୍ଗରେ ଲାଗିବା, ଏବେ ପାକିସ୍ତାନକୁ ବଡ ମହଙ୍ଗା ପଡିଛି । ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବାର ଦେଢ଼ ମାସ ମଧ୍ୟରେ ପାକିସ୍ତାନ ପାଣି ପାଇଁ ହାହାକାର କରିବା ଆରମ୍ଭ କଲାଣି । ଖରିଫ ଫସଲ ପାଇଁ ନଦୀ ନାଳରୁ ପାଣି ନ ମିଳିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରବଳ ଗରମ ଏବଂ ପାଣି ଅଭାବ ଯୋଗୁଁ କ୍ଷେତରେ ବଡ଼ ବଡ ଫାଟ ଦେଖାଦେଇଛି । ଯାହାକୁ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ଚାଷୀ । ଏମିତିକି ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ ବି କାନ୍ଦିଲେଣି ।

ପୂର୍ବରୁ ବିପର୍ଯ୍ୟସ୍ତ ଆର୍ଥିକବସ୍ଥା, ଆଉ ତା ଉପରେ ପହଲଗାମ ଆକ୍ରମଣ ପରେ ଅପରେସନ ସିନ୍ଦୂରର ପାକିସ୍ତାନ ଅଣ୍ଟା ଭାଙ୍ଗିଦେଇଥିବା ବେଳେ ଏବେ ଝେଲମ ନଦୀ ଉପରେ ନିର୍ମିତ ମଙ୍ଗଳା ବନ୍ଧ ଏବଂ ପାକିସ୍ତାନରେ ସିନ୍ଧୁ ନଦୀ ଉପରେ ନିର୍ମିତ ତରବେଲା ବନ୍ଧରେ କେନାଲ ମାଧ୍ୟମରେ କ୍ଷେତକୁ ପହଞ୍ଚିବା ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ । ଯାହା ପାକିସ୍ତାନରେ ବହୁଳ ପରିମାଣରେ କରାଯାଇଥିବା ଧାନ ଚାଷକୁ ଖୁବ୍ ପ୍ରଭାବିତ କରିଛି । ଏନେଇ ପାକିସ୍ତାନର ସିନ୍ଧୁ ଜଳ ପ୍ରାଧିକରଣ କହିଛି ଯେ ବର୍ତ୍ତମାନ ଦେଶରେ ଜଳ ପ୍ରବାହ ୨୧ ପ୍ରତିଶତ କମ୍। ଏହା ସହିତ, ଦୁଇଟି ବଡ଼ ଡ୍ୟାମରେ ଜଳର ଜୀବନ୍ତ ସଂରକ୍ଷଣ ୫୦ ପ୍ରତିଶତ ହ୍ରାସ ପାଇଛି । ଏହି ଡ୍ୟାମଗୁଡ଼ିକ ପଞ୍ଜାବ ଏବଂ ସିନ୍ଧ ପ୍ରଦେଶରେ ଜଳସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଖରିଫ ଋତୁ ଆରମ୍ଭରେ ଏହା ଫସଲ ବୁଣାକୁ ବି ଶକ୍ତ ପ୍ରହାର ଦେଇଛି । ଏଭଳି ପରିସ୍ଥିତିରେ, ଯଦି ମୌସୁମୀ ସମୟରେ ଭଲ ବର୍ଷା ନହୁଏ, ତେବେ ପାକିସ୍ତାନର କୃଷି ଅର୍ଥନୀତିର ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯିବ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ମଙ୍ଗଳା ଡ୍ୟାମର ଜଳ ସଂରକ୍ଷଣ କ୍ଷମତା ୫.୯ ନିୟୁତ ଏକର ଫୁଟ, କିନ୍ତୁ ଏଥିରେ ୨.୭ ନିୟୁତ ଏକର ଫୁଟ ଅର୍ଥାତ୍ ପ୍ରାୟ ୫୦ ପ୍ରତିଶତ ପାଣି ଅଛି । ସେହିପରି ତରବେଲା ଡ୍ୟାମରେ ବର୍ତ୍ତମାନ ୧୧.୬ ମେଟ୍ରିକ୍ ଏକର ଫୁଟ ବଦଳରେ ୬ ମେଟ୍ରିକ୍ ଏକର ଫୁଟ ପାଣି ରହିଛି । ଭାରତ ସିନ୍ଧୁ ଜଳ ଚୁକ୍ତି ମାଧ୍ୟମରେ ପାକିସ୍ତାନ ସହିତ ଜଳ ତଥ୍ୟ ବି ବାଣ୍ଟିବା ବନ୍ଦ କରିଦେଇଛି। ଏପରି ପରିସ୍ଥିତିରେ, ଯଦି ମୌସୁମୀ ସମୟରେ ଜଳସ୍ତର ବୃଦ୍ଧି ପାଏ, ତେବେ ଏହା ହଠାତ୍ ପାଣି ଛାଡ଼ିପାରେ, ଏଥିସହିତ ସିନ୍ଧୁ ଜଳ ଅବବାହିକାର ସମଗ୍ର ଅଞ୍ଚଳ ଚୀନ୍, ଭାରତ, ପାକିସ୍ତାନ, ଆଫଗାନିସ୍ତାନରେ ବିସ୍ତୃତ। ଆଉ ୩୧୮୦ କିଲୋମିଟର ଲମ୍ବା ଏହି ନଦୀ ଦକ୍ଷିଣ ତିବ୍ଦତରୁ ଉତ୍ପନ୍ନ ହୋଇଛି। ହିମବାହ ତରଳିବା ପରେ, ଏହା ହିନ୍ଦୁକୁଶ, ହିମାଳୟ ଏବଂ କାରାକୋରମ୍ ପର୍ବତମାଳାର ପର୍ବତରୁ ତଳକୁ ପ୍ରବାହିତ ହୁଏ। ଯାହା ଫଳରେ ପାକିସ୍ତାନକୁ ପ୍ରଥମେ ମରୁଡ଼ି ଏବଂ ପରେ ବନ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।

ପାକିସ୍ତାନ ହେଉଛି ଏକ କୃଷି ବହୁଳ ରାଷ୍ଟ୍ର । ଏଠି ଧାନ ଚାଷ ବେଶୀ କରାଯାଏ । ଆଉ ସିନ୍ଧୁ ନଦୀର ପାଣି ହେଉଛି ପାକିସ୍ତାନର ଜୀବନ। ଗହମ, ଚାଉଳ ଏବଂ କପା ସମେତ ଏହାର ୯୦ ପ୍ରତିଶତ ଫସଲ ଏଠାରୁ ପାଣି ପାଏ। କୃଷି ପାକିସ୍ତାନର ଅର୍ଥନୀତିରେ ୨୩ ପ୍ରତିଶତ ଅବଦାନ ରଖେ ଏବଂ ଜନସଂଖ୍ୟାର ୩୭ ପ୍ରତିଶତ ଏଥିରେ ନିୟୋଜିତ । ଏଭଳି ସ୍ଥଳରେ ଏବେ ଖରିଫ ଫସଲ ପାଇଁ ପାଣି ଅଭାବ ପାକିସ୍ତାନକୁ ବଡ କ୍ଷତି ଦେଇପାର ।

ଯାହାକୁ ନେଇ ଇଣ୍ଡସ ରିଭର ସିଷ୍ଟମ ଅଥରିଟି, ବି ଚିନ୍ତା ପ୍ରକଟ କରି ପାକିସ୍ତାନକୁ ଭାବିଚିନ୍ତି ଜଳ ଖର୍ଚ୍ଚ କରିବାକୁ ଚେତାବନୀ ଦେଇଚି । ସ୍ଥିତି ଏତେ ଗମ୍ଭୀର ଯେ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବି କାନ୍ଦିଲେଣି । ଆତଙ୍କିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ତାଜାକିସ୍ତାନର ଦୁଶାନବେରେ ଅନୁଷ୍ଠିତ ହିମବାହ ସଂରକ୍ଷଣ ସମ୍ମିଳନୀରେ ଏହି ସିନ୍ଧୁ ଚୁକ୍ତି ନେଇ ଆଲୋଚନା ପାଇଁ ଆବେଦନ କରିଥିଲେ । ଏମିତିକି ସେ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବାର ଭାରତର ନିଷ୍ପତ୍ତି ଉପରେ କୁମ୍ଭୀର କାନ୍ଦଣା କାନ୍ଦିଥିଲେ ।

Comments are closed.