Latest Odisha News

BREAKING NEWS

ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ସାମିଲ ନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଟାୱା ଏବଂ ନୂଆଦିଲ୍ଲୀ ମଧ୍ୟରେ ମତାନ୍ତର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଯିବାର ସମ୍ଭାବନା ବହୁତ୍ କମ୍ ରହିଛି । ଜି-୭ ହେଉଛି ବିଶ୍ୱର ସର୍ବାଧିକ ଶିଳ୍ପୋନ୍ନତ ଅର୍ଥନୀତି, ଯେଉଁଥିରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଯୁକ୍ତରାଜ୍ୟ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଭଳି ଦେଶ ସାମିଲ ଅଛନ୍ତି । ଏଥିରେ ୟୁରୋପୀୟ ସଂଘ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ), ବିଶ୍ୱ ବ୍ୟାଙ୍କ ଏବଂ ଜାତିସଂଘ ମଧ୍ୟ ଯୋଗ ଦେଇଛନ୍ତି । ଆଲବର୍ଟାରେ ହେବାକୁ ଥିବା ଏହି ବୈଠକ ପାଇଁ କାନାଡାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ନିମନ୍ତ୍ରଣ ଆସିନାହିଁ । ଯାହାକୁ ନେଇ ଏବେ ଦ୍ବନ୍ଦ୍ବରେ ରହିଛି ନୂଆଦିଲ୍ଲୀ । ଏଥିସହିତ ଭାରତ ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ ଯେ ଓଟାୱାର ନୂତନ ସରକାର ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କ ବିଷୟରେ ଏହାର ଚିନ୍ତା ଶୁଣିବ କି ନାହିଁ । ଯାହାକୁ ନେଇ ସେଠାକୁ ମୋଦିଙ୍କ ଯିବା ସମ୍ଭାବନା ବହୁତ କମ୍ । ଆଉ ଯଦି ମୋଦି ଯୋଗ ନଦିଅନ୍ତି ତେବେ, ଏହା ଗତ ୬ ବର୍ଷରେ ପ୍ରଥମ ହେବ ଯେ, ମୋଦି ଜି-୭ରେ ଯୋଗ ଦେବେ ନାହିଁ ।

କାନାଡାର ଜି-୭ ପ୍ରବକ୍ତା ଗତ ରବିବାର ଟାଇମ୍ସ ଅଫ୍ ଇଣ୍ଡିଆ ସହ ଆଲୋଚନା କରିଥିବା ବେଳେ ଏଥିରେ ଭାରତକୁ ନିମନ୍ତ୍ରଣ ମିଳିବ କି ନାହିଁ, ସେନେଇ କିଛି ଦାବି କରିନଥିଲେ । ସେପଟେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ ଏବଂ ଅଷ୍ଟ୍ରେଲିଆ କାନାଡାରୁ ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି । ଯାହା ଏବେ ମୋଦିଙ୍କ ଗସ୍ତ ନେଇ ଅନିଶ୍ଚିତତା ସୃଷ୍ଟି କରିଛି । ଗୋଟେପଟେ ଜୁନ୍ ୧୫ ରୁ ୧୭ର ପର୍ଯ୍ୟନ୍ତ କାନାଡା ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀ ପାଇଁ ଭାରତକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ନିମନ୍ତ୍ରଣ ମିଳିନାହିଁ, ଅନ୍ୟପଟେ ଭାରତୀୟ ପକ୍ଷ ଯୋଗ ଦେବାକୁ ଆଗ୍ରହୀ ବି ନୁହେଁ । କାରଣ ଯଦି ପ୍ରଧାନମନ୍ତ୍ରୀଙ୍କ କୌଣସି ହାଇପ୍ରୋଫାଇଲ ଗସ୍ତ ପାଇଁ ପୂର୍ବରୁ ସୁରକ୍ଷା ଚିନ୍ତାର ସମାଧାନ କରିବାକୁ ପଡିବ । ଯାହା ଏପର୍ଯ୍ୟନ କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟକାରୀ ହୋଇନାହିଁ । ଏମିତିକି ଗତ ମାସରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୁଇ ଦୁଇ ଥର କହିଛି ଯେ, ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନାଡା ଗସ୍ତ ବିଷୟରେ କୌଣସି ସୂଚନା ନାହିଁ। ଯାହା ମୋଦିଙ୍କ ଜି-୭ ଯୋଗନଦେଇପାରନ୍ତି ଖବରକୁ ଆହୁରି ଇନ୍ଧନ ଦେଇଛି ।

ଅନ୍ୟପକ୍ଷରେ କାନାଡାର ବୈଦେଶିକ ମନ୍ତ୍ରୀ ଅଙ୍କିତା ଆନନ୍ଦ, କାନାଡା ଖବରକାଗଜ ଦି ଗ୍ଲୋବ୍ ଆଣ୍ଡ ମେଲକୁ ଦେଇଥିବା ମନ୍ତବ୍ୟ ଅନୁଯାୟୀ, ନବନିର୍ବାଚିତ ମାର୍କ କାର୍ନି ସରକାର ଭାରତ ସହିତ ଏକ ଦୃଢ଼ ସହଭାଗୀତା ଗଠନ କରିବାକୁ ଆଗ୍ରହୀ । ଏଥିସହିତ ସେ ଏହା ସ୍ୱୀକାର କରିଥିଲେ ଯେ କାନାଡା ମାଟିରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ବିଗିଡ଼ି ଦେଇଥିଲା । ଯେତେବେଳେ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏହି ଘଟଣାରେ ନରେନ୍ଦ୍ର ମୋଦି ସରକାରଙ୍କ ସମ୍ପୃକ୍ତ ଥିବା ବୋଲି ଅଭିଯୋଗ କରିବା ପରେ ଏହି ମାମଲା ବିଶ୍ୱ ସ୍ତରରେ ଅଧିକ ତେଜିଥିଲା । ଭାରତ ଟ୍ରୁଡୋଙ୍କ ଅଭିଯୋଗକୁ ଦୃଢ଼ ଭାବରେ ଖାରଜ କରି ଏହାକୁ ଭିତ୍ତିହୀନ ବୋଲି କହିଥିଲା ।

Comments are closed.