ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ବୋର୍ଡର କାର୍ଯ୍ୟନିର୍ବାହୀ ସଭାପତି ହୋଇପାରନ୍ତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସିସିଆଇ ସଭାପତି ରୋଜର ବିନ୍ନି ଜୁଲାଇ ୧୯ ରେ ୭୦ ବର୍ଷ ବୟସରେ ପଦାର୍ପଣ କରିବେ। ନିୟମ ଅନୁଯାୟୀ, ବିସିସିଆଇ ସଭାପତିଙ୍କ ବୟସ ୭୦ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ। ଫଳରେ ୬୫ ବର୍ଷୀୟ ରାଜୀବ ଶୁକ୍ଲା ତିନି ମାସ ପାଇଁ କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି। ତେବେ ସେପ୍ଟେମ୍ବରରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ସମୟରେ ରାଜୀବ ଶୁକ୍ଲା ବୋର୍ଡର ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ନିର୍ବାଚନରେ ଠିଆ ହୋଇପାରନ୍ତି।
ଅପରପକ୍ଷରେ ରୋଜର ବିନ୍ନି ଅକ୍ଟୋବର ୨୦୨୨ରେ ବିସିସିଆଇର ୩୬ ତମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ। ଗାଙ୍ଗୁଲି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ। ସେ ସମୟରେ ବିନ୍ନି ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ହୋଇଥିଲେ।
ତେବେ ବିନ୍ନି ବିସିସିଆଇ ସଭାପତି ହେବା ପରେ ଭାରତ ଦୁଇଟି ସୀମିତ ଓଭର ଫର୍ମାଟ ICC ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଭାରତ ୨୦୨୪ରେ ICC T20 ବିଶ୍ୱକପ୍ ଏବଂ ୨୦୨୫ରେ ICC ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ବିନିଙ୍କ ସଭାପତିତ୍ୱ ସମୟରେ ଐତିହାସିକ ମହିଳା ପ୍ରିମିୟର ଲିଗ୍ (WPL) ମଧ୍ୟ ଆରମ୍ଭ ହୋଇଥିଲା। ତାଙ୍କ ସମୟରେ ଘରୋଇ କ୍ରିକେଟକୁ ଭଲ ପ୍ରୋତ୍ସାହନ ମିଳିଥିଲା। ଖେଳାଳିଙ୍କ ଦରମା ମଧ୍ୟ ବୃଦ୍ଧି ପାଇଥିଲା।
Comments are closed.