Latest Odisha News

BREAKING NEWS

ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି ଭାତ କରି, ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ ସମ୍ପର୍ଣ୍ଣ କରିଦେଉଛନ୍ତି। ଯାହାଫଳରେ କି ପରମୁହୂର୍ତ୍ତରେ ଝିଅଟି ହିଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛି। ତେବେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି।

ଏଣିକି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଲେ ସମ୍ପୃକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ (ସିଏମ୍‌ଆଇଓ) ଭାବେ ଦାୟିତ୍ବ ମିଳିଛି। ଯେକୌଣସି ବାଲ୍ୟବିବାହ ହେଲେ ସେମାନେ ସମ୍ପୃକ୍ତ ଅଞ୍ଚଳର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଏ ସମ୍ପର୍କରେ ଅବଗତ କରିବେ।

ସିଡିପିଓମାନେ ବାଲ୍ୟ ବିବାହ ନିବାରଣ ଅଧିକାରୀ (ସିଏମ୍‌ପିଓ) ଭାବେ ପୂର୍ବରୁ ଦାୟିତ୍ବ ତୁଲାଇ ଆସୁଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ସିଏମ୍‌ଆଇଓ ଭାବେ ଡେଜିଗ୍‌ନେଟ୍‌ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି। ରାଜ୍ୟରେ ମହିଳା ସୁରକ୍ଷା ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ବ ଦିଆଯାଇଛି।

Comments are closed.