Latest Odisha News

BREAKING NEWS

ସୁପର ଓ୍ବେପନରେ ୟୁକ୍ରେନକୁ ଜବାବ !

ନୂଆଦିଲ୍ଲୀ: ୟୁକ୍ରେନର ଡ୍ରୋନ୍ ତାଣ୍ଡବ । ଋଷର ୪ଟି ଏୟାରବେସରେ ୪୦ଯୁଦ୍ଧ ବିମାନ ଧ୍ବଂସ । ସୁପର ପାଓ୍ବାରର ସେନା ଗୌରବକୁ ସିଧା ଚ୍ୟାଲେଞ୍ଜ କରିଛି ୟୁକ୍ରେନ୍ । ୟୁକ୍ରେନ୍ ପକ୍ଷରୁ ହୋଇଥିବା ଏହି ଆକ୍ରମଣ ନାଟୋରୁ ମିଳିଥିବା ହତିଆର ଓ ଗୁଇନ୍ଦା ସୂଚନା ପାଇଁ ସମ୍ଭବ ହୋଇଥିବା କୁହାଯାଉଛି। ତେଣୁ ଏହାକୁ ପଶ୍ଚିମ ଦେଶର ହସ୍ତକ୍ଷେପ ଭାବେ ଦେଖିପାରେ ଋଷ । ୟୁକ୍ରେନର ଏହି ବଡ଼ଧରଣର ଆକ୍ରମଣ ପରେ ଭୟାନକ କାଉଣ୍ଟର କରିପାରେ ଋଷ । ଜବାବି ଆକ୍ରମଣରେ କ୍ରୁଜ ମିସାଇଲ୍, ହାଇପରସୋନିକ୍ ମିସାଇଲର ବ୍ୟବହାର କରିପାରନ୍ତି ପୁଟିନ୍ । ଋଷ ପାଖରେ ୟାର୍ସ ପରମାଣୁ କ୍ଷେପଣାସ୍ତ୍ର ବି ଅଛି । ତେବେ ୟୁକ୍ରେନର ଡ୍ରୋନ୍ ଓ ମିସାଇଲ୍ ଉତ୍ପାଦନ କ୍ଷମତାକୁ ଦୁର୍ବଳ କରିବା ସହ ନାଟୋ ସମର୍ଥନରେ ବାଧା ସୃଷ୍ଟି କରିବାକୁ ବଡ଼ ଆକ୍ସନ୍ ନେଇପାରେ ଋଷ ।

ସୁପର ଓ୍ବେପନରେ ୟୁକ୍ରେନକୁ ଜବାବ !

ଋଷ ପାଖରେ ବିଶ୍ବର ସବୁଠୁ ବିପଜ୍ଜନକ ଓ ଉନ୍ନତ ମାନର ହତିଆର ରହିଛି । ଏସବୁକୁ ସୁପର ଓ୍ବେପନ କୁହାଯାଏ । ଏହା ମଧ୍ୟରେ ରହିଛି ଅଓ୍ବନଗାର୍ଡ, ବୁରେବେସ୍ତନିକ, ଜିରକାନ, କିଂଝଲ, ପୋସାଇଡନ ଓ ସରମତ ପରି ବିପଜ୍ଜନକ ହତିଆର ।  ୨୦୨୨ ଫେବ୍ରୁଆରୀରୁ ୟୁକ୍ରେନ୍ ସହ ଯୁଦ୍ଧ ହେବା ପରଠୁ ଏହା ମଧ୍ୟରୁ ଅନେକ ସୁପର ଓ୍ବେପନର ବ୍ୟବହାର କରିନି ଋଷ । ଆମେରିକା ପାଖରେ ୫ହଜାର ୫ଶହ ପରମାଣୁ ଅସ୍ତ୍ର ରହିଥିବା ବେଳେ ଋଷ ପାଖରେ ରହିଛି ୬ହଜାର ପରମାଣୁ ହତିଆର । ତେଣୁ ଋଷ ଯଦି ପ୍ରଥମେ ପରମାଣୁ ହମଲା କରେ ତେବେ ନାଟୋ ଓ ଆମେରିକା ଜବାବି ଆକ୍ରମଣ କରିପାରନ୍ତି । ତେବେ ହତିଆର ଧମକ ଦେଇ ନାଟୋର ସିଧା ହସ୍ତକ୍ଷେପକୁ ରୋକିପାରେ ଋଷ । ୨୦୨୫ ମେ ମାସରେ ଋଷ ୩୫୫ ଡ୍ରୋନ୍ ଓ ୯ ମିସାଇଲରେ ହମଲା କରିଛି । ତେବେ ସୁପର ହତିଆରର ଉପଯୋଗ କରିନି । ତେବେ ଜୁନ୍ ୧ର ଆକ୍ରମଣ ପରେ ୟୁକ୍ରେନ୍ ଉପରେ ୪ଶହ ଡ୍ରୋନ୍ ହମଲା କରିଛି ଋଷ । ଆଗରୁ ଓରେସେନିକ ଓ ହାଇପରସୋନିକ ଭଳି ସଶସ୍ତ୍ର ମିସାଇଲରେ ଜବାବି ଆକ୍ରମଣ କରିପାରେ ।

ବଢିବ କି ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା ?

ଋଷରେ କ୍ଷମତାରେ ୨୫ବର୍ଷ ପୂର୍ତ୍ତି ଅବସରରେ ଜାରି ହୋଇଥିବା ଭିଡିଓରେ ୟୁକ୍ରେନ୍ ସହ ନାଟୋକୁ ସିଧା ସନ୍ଦେଶ ଦେଇଥିଲେ । ଋଷ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାଧନ ଅଛି, ଯେଉଁଥିରେ ୨୦୨୨ରେ ଯାହା ଆରମ୍ଭ ହୋଇଛି, ତାକୁ ନିଷ୍କର୍ଷରେ ପହଞ୍ଚା ଯାଇପାରିବ । ସେତେବେଳେ ୟୁକ୍ରେନରେ ନାଟୋ ଦେଶର ଦଖଲକୁ ନେଇ କ୍ଷୁବ୍ଧ ହୋଇଥିଲେ ପୁଟିନ । ନାଟୋର ହସ୍ତକ୍ଷେପ ସଭ୍ୟତା ବିନାଶର କାରଣ ହୋଇପାରେ ବୋଲି ପୂର୍ବରୁ ପୁଟିନ କହିଥିଲେ । ତେଣୁ ଯଦି ୟୁକ୍ରେନର ଡ୍ରୋନ୍ ଆକ୍ରମଣକୁ ନାଟୋର ଚ୍ୟାଲେଞ୍ଜ ମନେକରେ ତେବେ ଋଷ କିଛି ବି କରିପାରେ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଋଷ-ୟୁକ୍ରେନ୍ ସଂଘର୍ଷ ତୃତୀୟ ବିଶ୍ବଯୁଦ୍ଧରେ ପରିଣତ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ତେଣୁ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ ତୃତୀୟ ବିଶ୍ବଯୁଦ୍ଧ ବିପଦ ନେଇ ଆଶଙ୍କା ବଢିଛି ।

ୟୁକ୍ରେନର ଡ୍ରୋନ୍ ଆକ୍ରମଣକୁ ପର୍ଲ ହାର୍ବର ହମଲା ସହ ତୁଳନା କରାଯାଉଛି । ଇସ୍ତାନାବୁଲରେ ଋଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ବାର୍ତ୍ତାର ଦ୍ବିତୀୟ ପର୍ଯ୍ୟାୟ ବୈଠକ ପୂର୍ବରୁ ଏଭଳି ଆକ୍ରମଣ କରିଛି ୟୁକ୍ରେନ୍ । ଋଷ-ୟୁକ୍ରେନ୍ ଯୁଦ୍ଧ ମସ୍କୋ ଓ ନାଟୋ ମଧ୍ୟରେ ପ୍ରକ୍ସି ଯୁଦ୍ଧ ବୋଲି କୁହାଯାଉଛି । ପଶ୍ଚିମ ଦେଶ ପକ୍ଷରୁ ଯୋଗାଣ କରାଯାଉଥିବା ହତିଆର ଓ ଯୋଗାଯୋଗ ଉପକରଣ ବ୍ୟବହାର କରି ୟୁକ୍ରେନ୍ ସେନା ଯୁଦ୍ଧ ଲଢୁଥିବା ଅଭିଯୋଗ ହୋଇଆସିଛି । ତେବେ ଅପରେସନ୍ ସ୍ପାଇଡର ଓ୍ବେବ ନାଟୋର ବିନା ସମର୍ଥନରେ ନିଜ ଦମରେ କରିଥିବା ୟୁକ୍ରେନ କହୁଛି । ଋଷ ଓ ୟୁକ୍ରେନ ଯୁଦ୍ଧରେ ଡ୍ରୋନ୍ ଯୁଦ୍ଧର ନୂଆ ଯୁଗର ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ୟୁକ୍ରେନର ଡ୍ରୋନ୍ ହମଲା ପରେ କେମିତି ଏହାର ଜବାବ ଦେବ ଋଷ, ତାଉପରେ ନଜର ରହିଛି ।

Comments are closed.