ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୂରିଛି ଦୁଇ ବର୍ଷ । ସେଦିନର ଛାତିଥରା ଓ ହୃଦୟ ବିଦାରକ ଦୃଶ୍ୟ ମନେ ପଡିଲେ ଆଜିବି ପ୍ରତ୍ୟେକ୍ଷଦର୍ଶୀଙ୍କ ଛାତି ଥରି ଉଠୁଛି । ସେହି କାଳ ରାତ୍ରି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ୨୦୨୩ ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୦ କିମି ଦୂର ବାହାନଗାଠାରେ ଦୁଇଟି ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ ଓ ଗୋଟିଏ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ୨୯୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଭାରତୀୟ ରେଳ ଇତିହାସରେ ଏହା ଥିଲା ସବୁଠାରୁ ଭୟଙ୍କର ଦୁର୍ଘଟଣା ।
ହାୱଡା ପଟୁ ଆସୁଥିବା ଦ୍ରୁତଗାମୀ କରମଣ୍ଡଳ ଏକ୍ସପ୍ରେସ ବାହାନଗା ବଜାର ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା । କରମଣ୍ଡଳର ୨୧ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏହାର ପଛଭାଗର ୩ଟି କୋଚ୍ ବିପରୀତ ଦିଗରୁ ଅନ୍ୟ ଟ୍ରାକରେ ଆସୁଥିବା ବେଙ୍ଗାଲୁରୁ-ହାୱଡା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହି ଧକ୍କାରେ ଯଶୋବନ୍ତପୁର ଏକ୍ସପ୍ରେସର ମଧ୍ୟ କିଛି ବଗି ଲାଇନଚ୍ୟୁତ ହୋଇଥିଲା । କିଏ କିଛି ବୁଝିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା । ଅତି ଭୟଙ୍କର ଥିଲା ଏହି ରେଳ ଦୁର୍ଘଟଣା ।
ଟ୍ରାକରେ ରକ୍ତର ହୋଲି ଖେଳିଥିଲା ଲୌହଦାନବ । ଏହା ପରେ ବାହାନଗା ଷ୍ଟେସନରେ କେବଳ ଚିତ୍କାର ହିଁ ଚିତ୍କାର ଶୁଭିଥିଲା । ଦେଖୁ ଦେଖୁ କୁଢ କୁଢ ମୃତଦେହ ଗଦା ହୋଇଯାଇଥିଲା ରେଳ ଲାଇନରେ । ଆଉ କେତେଜଣଙ୍କର ଶରୀରର ଅଧାଅଂଶ କଟିଯାଇଥିଲା ତ ଆଉ କିଏ ଅଧା ଜଳିଯାଇଥିଲେ । କିଏ ସ୍ବାମୀକୁ ହରାଇଥିଲା ତ, ଆଉ କିଏ ପୁଅକୁ ପୁଣି କିଏ ସ୍ତ୍ରୀକୁ । ପରିସ୍ଥିତି ଏପରି ହୋଇଥିଲା ଯେ ମୃତଦେହ ଉପରେ ଚଢି ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା ।
ଏହାପରେ କୃଢକୁଢ ମୃତଦେହ ମଧ୍ୟରୁ ସମ୍ପର୍କୀୟଙ୍କୁ ଖୋଜୁଥିଲେ ଲୋକେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକ ଯାତ୍ରୀଙ୍କୁ ଚିହ୍ନିବା ମୁସକିଲ ହୋଇପଡିଥିଲା । ମୃତକ, ଆହତ ଓ ଗୁରୁତରଙ୍କୁ ଚିହ୍ନଟ କରିବାକୁ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲିଥିଲା । ଆଉ ସବୁଠୁ ଦାରୁଣ ବିଷୟ ଥିଲା ଜଣେ ବୃଦ୍ଧ ବାପା ଆସି ନିଜ ପୁଅକୁ ଶହଶହ ମୃତଦେହ ମଧ୍ୟରୁ ଖୋଜିଥିଲେ । ଓଡିଶା ସମେତ ବାହାର ରାଜ୍ୟର ଅନେକ ଯାତ୍ରୀଙ୍କର ମଧ୍ୟ ଏହି ଦୁର୍ଘଟଣାରେ ଜୀବନ ଯାଇଛି ।
ଦୁର୍ଘଟଣା ପରଦନି ଘଟଣାସ୍ଥଳକୁ ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଯାଇ ଭୁଲ୍ କାହାର ଜଣାପଡ଼ିଥିବା କହିବା ସହିତ ଖୁବ୍ଶୀଘ୍ର ତ୍ରୁଟି ପଦାକୁ ଆସିବ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସୂଚନା ଅନୁସାରେ, ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ କରାଯିବା ହେତୁ ଜୁନ୍ ୨ ତାରିଖରେ ଦିନତମାମ ଷ୍ଟେସନକୁ ତ୍ରୁଟିପୂର୍ଣ୍ଣ ସିଗ୍ନାଲ ମିଳିଥିଲା । ମାତ୍ର, ଷ୍ଟେସନ୍ ମାଷ୍ଟର ଓ ଟ୍ରାଫିକ୍ ସିଗନାଲ୍ ଦାୟିତ୍ବରେ ଥିବା କର୍ମଚାରୀ ଏହାକୁ ଗମ୍ଭୀରତାର ସହ ନେଇନଥିଲେ। କାମଚଳା ମରାମତି କରି ଛାଡ଼ି ଦେଇଥିଲେ । ଯେଉଁ କାରଣରୁ ଏତେ ବଡ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ଏହି ମାମଲାର ତଦନ୍ତ କରି ୩ ରେଳ କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା ଦର୍ଶାଇ ଗିରଫ କରିଥିଲା । ଏମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଖାନ ଓ ଟେକ୍ନିସିଆନ ପପୁ ଯାଦବ । ପରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।
Comments are closed.