ନୂଆଦିଲ୍ଲୀ: AI ଜଗତରେ ଏବେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଗୁଗୁଲ୍ ଜେମିନି ଏଆଇକୁ ଆଗକୁ ବଢ଼ାଉଛି, ଅନ୍ୟପଟେ ଏକ ନୂତନ କମ୍ପାନୀ ପର୍ପଲେକ୍ସିଟି ଗୁଗୁଲ୍ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ।ଏବେ ସାମସଙ୍ଗ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି। ସାମସଙ୍ଗ ଏବଂ ପର୍ପଲେକ୍ସିଟି (Perplexity) ମଧ୍ୟରେ ଏକ ଚୁକ୍ତି ପାଇଁ ଆଲୋଚନା ଚାଲିଛି। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଆଗାମୀ ସାମସଙ୍ଗ ଫୋନଗୁଡ଼ିକରେ ପର୍ପ୍ଲେକ୍ସିଟିର AI ଡିଫଲ୍ଟ ଏଆଇ ଆସିଷ୍ଟାଣ୍ଟ ଭାବରେ ଆସିପାରେ ।
ଏହି ବର୍ଷ ଆରମ୍ଭରେ ପର୍ପଲେକ୍ସିଟି ଏବଂ ସାମସଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା। ET ର ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆରେ ଏକ ବୈଠକ ପରେ ଦୁଇ କମ୍ପାନୀ ଏହି ଚୁକ୍ତି ପାଇଁ ପ୍ରାୟତଃ ରାଜି ଅଛନ୍ତି । ଏହି ଡିଲ୍ ରେ ପର୍ପଲେକ୍ସିଟିର ଏଆଇ ଆପ୍ ଏବଂ ଆସିଷ୍ଟାଣ୍ଟକୁ ସାମସଙ୍ଗର ସ୍ମାର୍ଟଫୋନ୍ ଏବଂ ବ୍ରାଉଜରରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରେ।
ସାମସଙ୍ଗ ଏହାର ଭଏସ୍ ଆସିଷ୍ଟାଣ୍ଟ ବିକ୍ସବିରେ ପର୍ପ୍ଲେକ୍ସିଟିର ଏଆଇ ପ୍ରଯୁକ୍ତିବିଦ୍ୟା ଯୋଡିବାର ସମ୍ଭାବନା ରହିଛି। ଏହା ବିକ୍ସବିକୁ ଅଧିକ ସ୍ମାର୍ଟ ଏବଂ ଶକ୍ତିଶାଳୀ କରିପାରିବ।
ରିପୋର୍ଟ ଅନୁସାରେ, ସାମସଙ୍ଗ ଏବଂ ପର୍ପଲେକ୍ସିଟି ମିଳିତ ଭାବରେ ଏକ ନୂତନ ଅପରେଟିଂ ସିଷ୍ଟମ (OS) ବିକଶିତ କରିପାରିବେ ଯାହା ସମ୍ପୂର୍ଣ୍ଣ ଭାବରେ AI ଉପରେ ଆଧାରିତ ହେବ। ଯଦି ଏହା ହୁଏ, ତେବେ ଏହା ଗୁଗୁଲର ଆଣ୍ଡ୍ରଏଡ୍ ସିଷ୍ଟମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।
ପର୍ପଲେକ୍ସିଟି ପୂର୍ବରୁ ମୋଟୋରୋଲା ସହିତ ସହଭାଗୀତା କରିଛି। ଆଗାମୀ ମୋଟୋ ଫୋନ୍ଗୁଡ଼ିକରେ ପର୍ପଲେକ୍ସିଟି AI ଦେଖିବାକୁ ମିଳିବ । କିନ୍ତୁ ମୋଟୋରୋଲା ଫୋନ୍ଗୁଡ଼ିକରେ ଜେମିନି ଏବଂ ପର୍ପଲେକ୍ସିଟି AI ଉଭୟ ରହିବ।
ପର୍ପଲେକ୍ସିଟିର ନେତୃତ୍ୱ ଅରବିନ୍ଦ ଶ୍ରୀନିବାସ ନେଉଛନ୍ତି। ସେ ଚେନ୍ନାଇର ଅଟନ୍ତି । ସେ ଆଇଆଇଟି ମାଡ୍ରାସରେ ପାଠପଢ଼ିଥିଲେ ଏବଂ ତା’ପରେ ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ। ବର୍ତ୍ତମାନ ସେ ବିଶ୍ୱର ଉଦୀୟମାନ ଏଆଇ କମ୍ପାନୀ ମଧ୍ୟରୁ ଗୋଟିଏର ସିଇଓ।
Comments are closed.