ଲକ୍ଷ୍ନୌ: ବୃନ୍ଦାବନ ବୁଲିବା ବେଳେ ମହିଳାଙ୍କ ପର୍ସ ଝାମ୍ପିନେଲା ମାଙ୍କଡ। ବୃନ୍ଦାବନରେ ଅବସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହା ଭକ୍ତ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି।
ଦର୍ଶନ ପାଇଁ ଆସିଥିବା ଆଲିଗଡ଼ର ବାସିନ୍ଦା ଅଭିଷେକ ଅଗ୍ରୱାଲଙ୍କ ପର୍ସକୁ ଏକ ମାଙ୍କଡ଼ ଝାମ୍ପିନେଇ ପଳାଇଥିଲା। ଖାସ୍ କଥା ହେଉଛି ପର୍ସରେ ପ୍ରାୟ ୨୦ ଲକ୍ଷ ମୂଲ୍ୟର ଅଳଙ୍କାର ଥିଲା।
ସୂଚନା ଅନୁଯାୟୀ, ଯେତେବେଳେ ଅଭିଷେକ ଅଗ୍ରୱାଲ ତାଙ୍କ ପରିବାର ସହିତ ଦର୍ଶନ ପାଇଁ ଆସିଥିଲେ ହଠାତ୍ ଏକ ମାଙ୍କଡ଼ ଆସି ପର୍ସଟିକୁ ଝାମ୍ପି ନେଇ ଦୌଡ଼ି ପଳାଇଥିଲା। ପର୍ସରେ ଚେନ୍, କଙ୍କଣ, କାନଫୁଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାର ଥିଲା ଯାହାକୁ ସେ ତାଙ୍କ ପରିବାରର କୌଣସି କାର୍ଯ୍ୟ ପାଇଁ ଆଣିଥିଲେ। ତେବେ ପର୍ସଟି ଝାମ୍ପିନେବା ମାତ୍ରେ ମନ୍ଦିର ପରିସରରେ ଉତ୍ତେଜନା ଦେଖାଦଇଥିଲା। ଅଭିଷେକ ଏବଂ ତାଙ୍କ ପରିବାର ଭୟଭୀତ ହୋଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ମନ୍ଦିର ଆଖପାଖର ଲୋକମାନେ ଏବଂ ପୋଲିସ ତୁରନ୍ତ ସକ୍ରିୟ ହୋଇ ମାଙ୍କଡ଼କୁ ଖୋଜିବା ଆରମ୍ଭ କରିଥିଲେ।
ପ୍ରାୟ ୨ ଘଣ୍ଟାର କଠିନ ଖୋଜାଖୋଜି ପରେ ପର୍ସଟି ଏକ ବୁଦା ମୂଳରୁ ମିଳିଥିଲା। ସୌଭାଗ୍ୟବଶତଃ, ପର୍ସରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଥିଲା। ପୋଲିସ ପର୍ସଟିକୁ ଅଭିଷେକଙ୍କୁ ଯାହା ପରେ ସେ ଆଶ୍ୱସ୍ତି ପାଇଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ମନ୍ଦିର ପରିସରରେ ମାଙ୍କଡ଼ମାନଙ୍କ ଦୌରାତ୍ମ୍ୟ ନିରନ୍ତର ବୃଦ୍ଧି ପାଉଛି ଏବଂ ଅନେକ ସମୟରେ ସେମାନେ ମୋବାଇଲ୍ ଫୋନ୍, ଗ୍ଲାସ୍ କିମ୍ବା ଖାଦ୍ୟ ସାମଗ୍ରୀ ମଧ୍ୟ ଛଡ଼ାଇ ନେଉଛନ୍ତି।
ଏଭଳି ସ୍ଥଳେ ପୋଲିସ ଭକ୍ତମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏହାବ୍ୟତୀତ ଶ୍ରଦ୍ଧାଳୁ ମାନେ ମନ୍ଦିର ପରିସରରେ ଖୋଲା ସ୍ଥାନରେ ମୂଲ୍ୟବାନ ଜିନିଷପତ୍ର ନ ରଖିବାକୁ କହିଛି ପୋଲିସ। ସେହିପରି ଛୋଟ ପିଲା ଏବଂ ବୟସ୍କମାନଙ୍କର ବିଶେଷ ଯତ୍ନ ନେବାକୁ କହିଛନ୍ତି।
Comments are closed.