Latest Odisha News

BREAKING NEWS

ଶ୍ରେୟାଶ ହେବେ ଭାରତ ଧଳା ବଲ କ୍ରିକେଟର ଅଧିନାୟକ

ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ଖେଳାଳିଙ୍କ ଅବସର ପରେ ବିଦେଶମାଟିରେ ଭାରତର ପ୍ରଦର୍ଶନ ଉପରେ ନଜର ରହିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ ଭବିଷ୍ୟତ ନିମନ୍ତେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ । ତେବେ ଇତି ମଧ୍ୟରେ ଆଇପିଏଲରେ ଶ୍ରେୟାଶ ଆୟାରଙ୍କ ନେତୃତ୍ୱ ଓ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି ।

ଏପରିକି ତାଙ୍କୁ ଧଳା ବଲ କ୍ରିକେଟରେ ଭାରତର ଭବିଷ୍ୟତ ଅଧିନାୟକ ଭାବେ ମଧ୍ୟ ଚିତ୍ରଣ କରାଯାଉଛି । ମ୍ୟାଚର ଚାପଭରା ପରିସ୍ଥିତିରେ ସେ ଦଳର ନେତୃତ୍ୱ ଠିକ ଭାବେ ନେଇ ପାରୁଛନ୍ତି । ଯେଉଁ ବିସିସିଆଇ ତାଙ୍କୁ ଅଣଦେଖା କରୁଥିଲା ସେ ଏବେ ଶ୍ରେୟାଶଙ୍କ ଉପରେ ପ୍ରଭାବିତ । ସୂର୍ଯ୍ୟକୁମାର ଯାଦବ ଏବେ ଟି୨୦ ଏବଂ ରୋହିତ ଶର୍ମା ଦିନିକିଆ ଦଳର ନେତୃତ୍ୱ ନେଉଛନ୍ତି । ପଞ୍ଜାବ କିଙ୍ଗସର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ନିକଟରୁ ପରାଜିତ ହୋଇଥିଲା । ରୋହିତଙ୍କ ବଦଳରେ ବିସିସିଆଇ ଏକ ଯୁବ ଖେଳାଳିଙ୍କୁ ନେତୃତ୍ୱ ଦେବାକୁ ଚାହୁଁଛି ।

୨୦୨୭ ଦିନିକିଆ ବିଶ୍ୱକପରେ କିଏ ଭାରତର ନେତୃତ୍ୱ ନେବ ତାହା ଅବଶ୍ୟ ଏବେଠାରୁ ଆକଳନ କରିହେବନି, ମାତ୍ର ଶ୍ରେୟାଶ ଲମ୍ବା ରେସର ଘୋଡା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ଭାରତ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ମଧ୍ୟ ଶ୍ରେୟାଶଙ୍କ ଯୋଗଦାନ ଭଲ ରହିଥିଲା । ସେ ୫ଟି ମ୍ୟାଚରେ ୨୪୩ ରନ କରିଥିଲେ । ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ । ଏହା ପୂର୍ବରୁ ଦିନିକିଆ ବିଶ୍ୱକପରେ ମଧ୍ୟ ସେ ୧୧ ଇନିଂସରେ ୬୬ ଆଭରେଜରେ ୫୩୦ ରନ କରିଥିଲେ । ଏଥିରେ ୨ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ।

ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଟି୨୦ ଭଲ ପ୍ରଦର୍ଶନ କରୁଛି । ତେବେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଖରାପ ରହିଛି । ଯଦି ସେ ଏଥିରେ ସୁଧାର ନ ଆଣିବେ ତେବେ ଅଧିନାୟକ ପଦ ହରାଇବା ନିଶ୍ଚିତ । ଶ୍ରେୟାଶ ଏବେ ପରୋକ୍ଷରେ ରୋହିତ ଏବଂ ସୂର୍ଯ୍ୟକୁମାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ।

Comments are closed.