ଭୁବନେଶ୍ୱର: ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି କାରଣରୁ ଅସ୍ତବ୍ୟସ୍ତ ହୋଇପଡିଲେଣି ଓଡିଶାବାସୀ । ପଶ୍ଚିମ ଓଡିଶାରେ ତାତିର ପ୍ରକୋପ ବଢି ବଢି ଚାଲିଥିବାବେଳେ, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଜିଲ୍ଲା ଗୁଡିକରେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ତେବେ ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ୩୮ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ସେହିପରି ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ ହୋଇଛି । ଆଦ୍ରତା ୬୮.୪ ପ୍ରତିଶତ ରେକର୍ଡ ହୋଇଛି । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ପାଖାପାଖି ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଅତ୍ୟନ୍ତ ଗୁଳୁଗୁଳି ଅନୁଭୂତ ହେବ ।
ଅନ୍ୟପଟେ, କାଳବୈଶାଖୀ ପ୍ରଭାବ କେତେକ ସ୍ଥାନରେ ଦେଖିବାକୁ ମିଳିଛି । ସେନେଇ ସୋମବାର ୫ ଜିଲ୍ଲାକୁ ଅରେଞ୍ଜ ଓ ୨୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି । ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଛି । ସେହିପରି ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏଥର ରଜରେ ମେଘୁଆ ପାଗ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୪ ତାରିଖରୁ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ।
Comments are closed.