ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଅନେକ ଯାଗାରେ “ପ୍ରବନ୍ଧ ” ଶବ୍ଦ ବ୍ୟବହାର କରିଛନ୍ତି, ଯଦିଓ ଶ୍ରୀଜଗନ୍ନାଥ ଦାସ ସଂସ୍କୃତ ଭାଗବତ ପରି ଏକ ମହାପୁରାଣ ଅବା ମହାକାବ୍ୟକୁ ପ୍ରାକୃତ (ଓଡ଼ିଆ) ଭାଷାରେ ଅନୁବାଦ କରୁଥିଲ। କୁହାଯାଏ ସେ ସମୟର ସାମାଜିକ ସ୍ଥିତି ଓ ପ୍ରଚଳିତ ରୀତିନୀତିକୁ ଆଧାର କରି ଶ୍ରୀଜଗନ୍ନାଥ ଦାସ କେତେକ ନିଜସ୍ୱ ଶୈଳୀ ମିଶାଇ ଶ୍ରୀମଦ ଭାଗବତକୁ ରସଯୁକ୍ତ କରିଛନ୍ତି। ସଂସ୍କୃତ ଭାଗବତ ସହିତ ଅଲଵାର ସମ୍ପ୍ରଦାୟଙ୍କ “ଦିବ୍ୟ ପ୍ରବନ୍ଧ ଗ୍ରନ୍ଥର ଶୈଳୀକୁ ଆପଣେଇ ଓଡ଼ିଆ ଭାଗବତ ରଚିତ। ଯାହା ଭାଗବତର କିଛି ବାକ୍ୟଙ୍କୁ ଅନୁଧ୍ୟାନ କଲେ ଯଥା
ପ୍ରାକୃତ ବନ୍ଧେ ଭାଗବତ।
କହଇ ଦାସ ଜଗନ୍ନାଥ।।
ଅବା-ସେ କୃଷ୍ଣ ପାଦ ହୃଦେ ଧରି।
ପ୍ରବନ୍ଧ ଗୀତ ଗାନ କରି।।
କେତେବେଳେ ପୁଣି ଶ୍ରୀଜଗନ୍ନାଥ ଦାସ କହିଛନ୍ତି “ଭାଷା ପ୍ରବନ୍ଧେ ଭାଗବତ’ ଏହି ସବୁ ପଦ ଗୁଡିକ ଆମକୁ ଅଲବର ଧାରାର ଦିବ୍ୟ ପ୍ରବନ୍ଧର ପ୍ରଭାବ ଯେ ଓଡ଼ିଆ ଭାଗବତରେ ରହିଛି ତାହା ସ୍ୱୀକାର କରିବାକୁ ହୁଏପରମ ବୈଷ୍ଣବ ଶ୍ରୀ ରାମାନୁଜଙ୍କ ଶ୍ରୀକ୍ଷେତ୍ର ଆଗମନ ଓ ଓଡ଼ିଆ ଭାଗବତ ରଚନାର ସମୟକୁ ଦେଖିଲେ ଜଣାଯାଏ ଶ୍ରୀଜଗନ୍ନାଥ ଦାସ ରାମାନୁଜ ସମ୍ପ୍ରଦାୟର ଦିବ୍ୟ ପ୍ରବନ୍ଧର ଚର୍ଚ୍ଚା, ଗାନ ଓ ପରିବେଷଣ ଶୈଳୀକୁ ଆଧାର କରି ଓଡ଼ିଆ ଭାଗବତରେ ପ୍ରବନ୍ଧ ଶୈଳୀକୁ ସ୍ଥାନ ଦେଇଛନ୍ତି।
ଆଚାର୍ଯ୍ୟ ରାମାନୁଜ ଉଭୟ ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ଉପାସନାକୁ ପ୍ରାଧାନ୍ୟ ଦେଉଥିଲେ ସେଥିପାଇଁ ଶ୍ରୀମନ୍ଦିର ଶୀର୍ଷରେ ରାମାନୁଜ ଟୀକା ବା ତିଳକ ଶୋଭା ପାଉଥିଲେ ମଧ୍ୟ ଏଠାରେ ଶ୍ରୀ ବା ଲକ୍ଷ୍ମୀଙ୍କ ପ୍ରଭାବ ବିଶେଷ ଅନୁଭୂତ ହୋଇଥାଏ। ଶ୍ରୀ ରାମାନୁଜ ଜୀବ ଓ ବ୍ରହ୍ମର ମିଳନକୁ ଉପାସନାର ଅନ୍ତିମ ଲକ୍ଷ୍ୟ ବୋଲି ବିବେଚନା କରୁଥିଲେ। ଯାହା ଓଡ଼ିଆ ଭାଗବତର ପ୍ରତି ସ୍କନ୍ଦରେ ପରିଲିକ୍ଷିତ ହୋଇଥାଏ। ଯଥା
ଜୀବର ହୃଦ ଗତେ ହରି।
ଅଛଇ ଆତ୍ମା ରୂପ ଧରି।।
ଅବା ସର୍ବ ଶରୀରେ ଭଗବାନ।
ତା ତହୁଁ କେବା ଅଛି ଆନ।।
ସେ ସର୍ବ ବୁଦ୍ଧି ଅନୁଭବ।
ଜୀବ ପରମ ବ୍ରହ୍ମ ଲାଭ।।
ସେହିପରି ଓଡ଼ିଆ ଭାଗବତ ରଚନାରେ ନବାକ୍ଷରୀ ଛନ୍ଦର ପ୍ରୟୋଗ ଏହାକୁ ସୁଖକର ଆବୃତ୍ତି ବା ଗାନ କରିବାର ମାର୍ଗ ସୁଗମ କରିଛି। ଯଦିଓ ସଂସ୍କୃତ ଭାଗବତକୁ ମୂଖ୍ୟ ଆଧାର କରି ଓଡ଼ିଆ ଭାଗବତକୁ ରଚନା କରାଯାଇଛି କିନ୍ତୁ ଏଥିରେ ତତ୍ସମମୂଳକ ଓଡ଼ିଆ ଭାଷାର ପ୍ରୟୋଗ କରି ଶ୍ରୀଜଗନ୍ନାଥ ଦାସ ଭାଗବତଙ୍କୁ ପଣ୍ଡିତ, ଅପଣ୍ଡିତ ସମସ୍ତଙ୍କ ପାଇଁ ବୋଧଗମ୍ୟ ଓ ସରଳ କରିଛନ୍ତି କିଛି ଦେଶଜ ଶବ୍ଦ ମଧ୍ୟ ଓଡ଼ିଆ ଭାଗବତକୁ ଆହୁରି ସରଳ ଓ ସର୍ବ ଗ୍ରାହ୍ୟ କରିଛି।
ଗବେଷଜ ପଣ୍ଡିତ ନୀଳମଣି ମିଶ୍ରଙ୍କ ମତରେ ଶ୍ରୀଜଗନ୍ନାଥ ଦାସ ମୁଖ୍ୟତଃ ଏହି ରଚନାରେ ଶ୍ରୀମଦ ଭାଗବତର ମୂଳ ଶ୍ଳୋକ ଅପେକ୍ଷା ଶ୍ରୀଧର ସ୍ୱାମୀଙ୍କ ଭାବାର୍ଥ ବୋଧିକା ଟିକାକୁ ବିଶେଷ ଅନୁସରଣ କରିଛନ୍ତି, ସଂସ୍କୃତ ଭାଗବତର ମୂଳ ଧାରାକୁ ଅକ୍ଷୁର୍ଣ୍ଣ ରଖି ସ୍ୱକୀୟ ଶୈଳୀରେ ସରଳ ଭାଷା ବ୍ୟବହାର କରି ଏହାକୁ ସାଧାରଣ ଜନତାଙ୍କ ହୃଦୟରେ ସ୍ଥାନ ଦେଇଛନ୍ତି। ତେଣୁ ଶେଷରେ ଏତିକି
ସୁଜନ ଜନଙ୍କର ହିତେ।
ପ୍ରାକୃତ ବନ୍ଧେ ଭଗବତେ।।
ଆଗକୁ ମଧ୍ୟ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତର ଶୈଳୀ ଉପରେ ଆଲୋଚନା କରିବା ଏଵେ କିନ୍ତୁ କରିବା ଆରାଧନା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.