ନୂଆଦିଲ୍ଲୀ: ପାକିସ୍ତାନ ଆଡକୁ ଢଳୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ପାକିସ୍ତାନ ବିବାଦ ପରେ ଭାରତର ବନ୍ଧୁ କୁହାଉଥିବା ଟ୍ରମ୍ପ ବୁଧବାର ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହ ଏକ ରୁଦ୍ଧ ଦ୍ବାର ମଧ୍ୟାହ୍ନ ଭୋଜନ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି, ଯେଉଁଠି ଆତଙ୍କବାଦକୁ ବିରୋଧ କରି ପ୍ରତ୍ୟେକ ଦେଶ ପାକିସ୍ତାନକୁ ନିନ୍ଦା କରୁଛନ୍ତି ସେଠି ଏମିତି କ’ଣ କାରଣ ଅଛି ଯାହା ପାକିସ୍ତାନ ପ୍ରତି ଆମେରିକାର ପ୍ରେମ ବଢାଇଛି ?
ଟ୍ରମ୍ପ-ମୁନିର ଭୋଜନ ପଛରେ ନୋବେଲ ପ୍ରାଇଜ୍!
ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ମିଳିଥିଲା। ଏହି ନିମନ୍ତ୍ରଣ ସେହି ସମୟରେ ଆସିଥିଲା ଯେତେବେଳେ ମୁନିର ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାରର ଯୋଗ୍ୟ ବୋଲି କହିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର, ଅର୍ଥାତ୍ ଜୁନ୍ ୧୮ ରେ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଅସୀମ ମୁନିର କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ।
ପୂର୍ବରୁ ମନୋନୀତ ହୋଇଥିଲେ ଟ୍ରମ୍ପ
ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହି ସମୟରେ, ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତିନାମାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଜଣେ ନରୱେ ସାଂସଦଙ୍କୁ ମନୋନୀତ କରାଯାଇଥିଲା। କିନ୍ତୁ ସେତେବେଳେ ଟ୍ରମ୍ପ ନୋବେଲ ପାଇପାରିଲେ ନାହିଁ। ଯଦି ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଜିତନ୍ତି, ତେବେ ସେ ନୋବେଲ ପାଇବାରେ ଆମେରିକାର ପଞ୍ଚମ ରାଷ୍ଟ୍ରପତି ହେବେ। ପୂର୍ବରୁ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ତେବେ ସେଥିରେ ସେ ବିଫଳ ହୋଇଥିଲେ। ଏବେ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି। ଏହା ପଛରେ ବଡ କାରଣ ନୋବେଲ୍ ପୁରସ୍କାର ବୋଲି କୁହାଯାଉଛି ।
ଯୁଦ୍ଧବିରତିରେ ନାହିଁ ଟ୍ରମ୍ପଙ୍କ ହାତ
ଗତ ମେ ୧୦ ଠାରୁ, ଯେତେବେଳେ ଭାରତ ଏବଂ ପାକିସ୍ତାନ ସାମରିକ ସଂଘର୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠୁ ଟ୍ରମ୍ପ୍ ଅନେକ ଥର ଦାବି କରିଆସିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ସମାଧାନ କରିବାରେ ସାହାଯ୍ୟ କରିଛନ୍ତି । ଏପରିକି ସେମାନେ ସଂଘର୍ଷ ବନ୍ଦ ନକଲେ ଆମେରିକା ସେମାନଙ୍କ ସହ ବାଣିଜ୍ୟ କାରବାର ବନ୍ଦ କରିବ । ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ମୋଦି । ଟ୍ରମ୍ପଙ୍କ ସହ ଫୋନରେ ଆଲୋଚନା ବେଳେ ସଫା କହିଛନ୍ତି, ଭାରତ ଏବଂ ପାକିସ୍ତାନ ଗତ ମାସରେ କୌଣସି ମଧ୍ୟସ୍ଥତା ବିନା ସିଧାସଳଖ ଆଲୋଚନା ପରେ ଅସ୍ତ୍ରବିରତି ଘୋଷଣା କରିଥିଲେ । ଭାରତ କାହାର ମଧ୍ୟସ୍ଥତା ଚାହିଁନି କି ଆଗକୁ ବି ଚାହିଁବନି। ଏବେ ଟ୍ରମ୍ପ ବି ଉଭୟ ଦେଶକୁ ଯୁଦ୍ଧବିରତି ପାଇଁ ଶ୍ରେୟ ଦେଇଛନ୍ତି ।
ନୋବେଲ ପାଇଁ କ’ଣ ନିୟମ ଅଛି?
କିଛି ଦିନ ପୂର୍ବରୁ ଟ୍ରମ୍ପ ନିଜେ ଶାନ୍ତି ପାଇଁ ନୋବେଲ ପାଇବା ବିଷୟରେ କହିଥିଲେ। ଟ୍ରମ୍ପ କହିଥିଲେ ଯେ ଯଦି ଯୁଦ୍ଧ ବନ୍ଦ ହୁଏ, ତେବେ ମୁଁ ଶାନ୍ତି ପୁରସ୍କାର ପାଇପାରିବି। ତେବେ ନୋବେଲ ପୁରସ୍କାର ସମ୍ପର୍କରେ କିଛି ନିୟମ ଅଛି। ପ୍ରତିବର୍ଷ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଶାନ୍ତି, ଚିକିତ୍ସା ଏବଂ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଏ। ସାଧାରଣତଃ ଏହି ପୁରସ୍କାର ମିଳିତ ଭାବରେ ଦିଆଯାଇଥାଏ। ଯେକୌଣସି ପ୍ରତିଷ୍ଠାନ କିମ୍ବା ସଂଗଠନ ପାଇଁ ମଧ୍ୟ ନୋବେଲ ଦିଆଯାଇପାରିବ। ପ୍ରତିବର୍ଷ ଏହାକୁ ବିଭିନ୍ନ ପ୍ରତିଷ୍ଠାନ ଦ୍ୱାରା ଚୟନ କରାଯାଏ। କୌଣସି ବ୍ୟକ୍ତି ନିଜେ ଏଥିପାଇଁ ଆବେଦନ କରିପାରିବେ ନାହିଁ। ଏହି ପୁରସ୍କାର କେବଳ ନିମନ୍ତ୍ରଣ ମାଧ୍ୟମରେ ମନୋନୀତ କରାଯାଏ। ଏଥିପାଇଁ ଜଣେ ଯୋଗ୍ୟ ମନୋନୟନକାରୀ ମନୋନୀତ କରନ୍ତି। ଆଉ ଶାନ୍ତିଚୁକ୍ତି ନେଇ ଭାରତର ସ୍ପଷ୍ଟ ଆଭିମୁଖ୍ୟ ପରେ ନୋବେଲ୍ ପାଇଁ ପାକିସ୍ତାନର ସମର୍ଥନ ଟ୍ରମ୍ପଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ନେଇ ବୟାନ ଦେଇଛନ୍ତି । ତେବେ ଟ୍ରମ୍ପ ନୋବେଲ ପାଇବେ କି ନାହିଁ ତାହା ନରୱେର ନୋବେଲ କମିଟି ନିଷ୍ପତ୍ତି ଉପରେ ନିର୍ଭର କରିବ।
Comments are closed.