Latest Odisha News

BREAKING NEWS

ପାକିସ୍ତାନର ‘ନୋବେଲ୍’ ପ୍ଲାନ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ବିଧିବଦ୍ଧ ଭାବେ ମନୋନୀତ କରିଛି ପାକିସ୍ତାନ। ଚଳିତ ବର୍ଷ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିଥିବା ବେଳେ ଟ୍ରମ୍ପଙ୍କ କୁଟନୈତିକ ହସ୍ତକ୍ଷେପ ଓ ନିର୍ଣ୍ଣାୟକ ନେତୃତ୍ବକୁ ଏହାପଛର କାରଣ ଦର୍ଶାଇଛି ପାକିସ୍ତାନ। ଦୁଇ ପରମାଣୁ ଶକ୍ତି ସଂପନ୍ନ ଦେଶ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷ ଟାଳିବା ନେଇ ଟ୍ରମ୍ପଙ୍କୁ ଶ୍ରେୟ ଦେଇଛି ଦେଶ। ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟରେ କୁହାଯାଇଛି । ତେବେ ପାକିସ୍ତାନର ଏହି ନିଷ୍ପତ୍ତି ପଛରେ ବଡ଼ ଯୋଜନା ଥିବା କୁହାଯାଉଛି ।

ପାକିସ୍ତାନର ‘ନୋବେଲ୍’ ପ୍ଲାନ୍

ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ବପୂର୍ଣ୍ଣ ସମୟରେ ଇସଲାମାବାଦ ଓ ନୂଆଦିଲ୍ଲୀକୁ ସାମିଲ କରି ନିଜ ରଣନୈତିକ ଦୂରଦର୍ଶିତାର ପରିଚୟ ଦେଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି । ତେବେ ପାକିସ୍ତାନର ଏଭଳି ବୟାନକୁ ଖଣ୍ଡନ କରିଛି ଭାରତ । ପାକିସ୍ତାନର ଏଭଳି ବୟାନ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ଭାରତ ପକ୍ଷରୁ କୁହାଯାଇଛି । ସଂକଟ ସମୟରେ ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣ କରିନାହିଁ । ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବିବୃତ୍ତିର ସତ୍ୟତା ନଥିବା ଭାରତ ବିଦେଶ ମନ୍ତ୍ରାଳୟ କହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପାକିସ୍ତାନର ନାରେଟିଭକୁ ଖାରଜ କରି ଦେଇଥିଲେ । କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ଗ୍ରହଣ କରିନଥିବା ସ୍ପଷ୍ଟ କହିଥିଲେ । ତେବେ ଆମେରିକା ସହ ନିଜ ସଂପର୍କ ସୁଦୃଢ କରିବାକୁ ପାକିସ୍ତାନ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥିବା କୁହାଯାଉଛି ।

କାଶ୍ମୀର ପାଇଁ ମନୋନୟନ !

ପାକିସ୍ତାନ ଟ୍ରମ୍ପଙ୍କୁ ମନୋନୀତ କରିବା ପଛରେ କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ଲକ୍ଷ୍ୟ ରହିଥିବା କୁହାଯାଉଛି । କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଲୋଡିଆସିଛି ପାକିସ୍ତାନ। ଯେବେକି ଦ୍ବିପାକ୍ଷିକ ପ୍ରସଙ୍ଗର ସମାଧାନରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଗ୍ରହଣ କରିନି ଭାରତ । ତେଣୁ ନୋବେଲ୍ ମନୋନୟନ ମାଧ୍ୟମରେ ପାକିସ୍ତାନ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ଟ୍ରମ୍ପଙ୍କୁ ମନୋନୟନ ଦ୍ବାରା ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଆମେରିକାର ସକ୍ରିୟ ହସ୍ତକ୍ଷେପ ଚାହୁଁଥିବା ଚର୍ଚ୍ଚା ହେଉଛି ।

ନୋବେଲ୍ ମନୋନୟନ ପଛରେ ମୁନିର !

ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୟନ ଉଭୟ ଭାରତ ଓ ପାକିସ୍ତାନରେ ଚର୍ଚ୍ଚା ବଢାଇଛି । ପାକିସ୍ତାନର ଏହି ନିଷ୍ପତ୍ତି ପଛରେ ଦେଶର ସେନା ମୁଖ୍ୟ ଅସିମ ମୁନିରଙ୍କ ଭୂମିକା ଥାଇପାରେ ବୋଲି କୁହାଯାଉଛି । ପାକିସ୍ତାନର ବିଦେଶ ନୀତିକୁ ନୂଆ ଆକାର ଦେବା କ୍ଷେତ୍ରରେ ମୁନିରଙ୍କ ଭୂମିକା ଦେଶର ନୋବେଲ୍ ନିଷ୍ପତ୍ତି ଉପରେ ପ୍ରଭାବ ପକାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ନୋବେଲ୍ କ୍ୟାମ୍ପେନକୁ ପାକିସ୍ତାନର ରଣନୈତିକ ପଦକ୍ଷେପ କୁହାଯାଉଛି । ତେବେ ଏହାଦ୍ବାରା ଅନ୍ତର୍ଜାତୀୟସ୍ତରରେ ମୁନିର ନିଜ ପ୍ରତିଷ୍ଠା ବୃଦ୍ଧି କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ହ୍ବାଇଟ୍ ହାଉସରେ ଟ୍ରମ୍ପ ଓ ମୁନିରଙ୍କ ରୁଦ୍ଧଦ୍ବାର ଲଞ୍ଚ ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି ।

ନୋବେଲ୍ କ୍ୟାମ୍ପେନ୍ ମାଧ୍ୟମରେ ଆର୍ଥିକ ରିହାତି, ଟେକ୍ନୋଲୋଜି ସ୍ଥାନାନ୍ତର ଓ ଏହାର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକାର ନରମ ମନୋବୃତ୍ତି ହାସଲ କରିବା ପାକିସ୍ତାନର ଲକ୍ଷ୍ୟ ହୋଇପାରେ । ଟ୍ରମ୍ପଙ୍କ ନେତୃତ୍ବକୁ ପ୍ରଶଂସା କରି କାଶ୍ମୀର ପ୍ରସଙ୍ଗରେ ଆମେରିକାର ସମର୍ଥନ ହାସଲ କରିବାକୁ ଚାହୁଁଛି ପାକିସ୍ତାନ । ତେବେ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି । କୌଣସି ପ୍ରକାର ବାହ୍ୟ ମଧ୍ୟସ୍ଥତାକୁ ଭାରତ କେବେବି ଗ୍ରହଣ କରିବ ନାହିଁ, ସେକଥା ବାରମ୍ବାର ସ୍ପଷ୍ଟ କରିସାରିଛି ଭାରତ। ତେବେ ପାକିସ୍ତାନର ନୋବେଲ୍ କ୍ୟାମ୍ପେନ୍ ଗୋଟି କେତେ ଫଳପ୍ରଦ ହେବ? ତାହା ଭବିଷ୍ୟତରେ ଜଣାପଡିବ ।

Comments are closed.