Latest Odisha News

BREAKING NEWS

ତାମିଲନାଡୁରେ ବିଜେପିର ‘ବିଜୟ’ ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ । ଏବେଠୁ ନିର୍ବାଚନ ମୋଡରେ ରାଜନୈତିକ ଦଳ । ଶାସକ ଡିଏମକେ ୨ଶହ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି ତ ତାମିଲ ରାଜନୀତିରେ ବିଜୟର ଅଙ୍କ କଷୁଛି ବିଜେପି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଗସ୍ତ କରି ଷ୍ଟାଲିନ ସରକାରଙ୍କୁ ଦୁର୍ନୀତି ପ୍ରସଙ୍ଗରେ ଘେରିଥିଲେ । ଆସନ୍ତା ନିର୍ବାଚନରେ ବିଜୟଙ୍କ ସହ ଏନଡିଏ ସରକାର ଗଢିବ ବୋଲି କହିଛନ୍ତି ଶାହା । ତାମିଲ ଫିଲ୍ମଷ୍ଟାର ଥଲପତି ବିଜୟଙ୍କ ଟିବିକେ ସହ ବିଜେପି ଶୀଘ୍ର ଆଲୋଚନା କରିବ । ଡିଏମକେକୁ ମାତ୍ ଦେବାକୁ ନିଜ ବଳ ବଢାଇବାକୁ ଯୋଜନା କରିଛି ବିଜେପି । ତେବେ ପ୍ରଶ୍ନ ଉଠୁଛି, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ପରି ତାମିଲନାଡୁରେ ବିଜେପି ପାଇଁ ବିଜୟ ଆଣିବେ କି ବିଜୟ?

ବିଜୟଙ୍କଠାରୁ ବିଜେପିର ଆଶା

ତାମିଲ ରାଜନୀତିରେ ବିଜେପିର ସହଯୋଗୀ ଏଆଇଏଡିଏମକେ ଏବେ ଆଉ ଜୟଲଳିତାଙ୍କ ସମୟ ଭଳି ଶକ୍ତିଶାଳୀ ନାହିଁ । ପାଲାନୀସ୍ବାମୀ ଓ ପନ୍ନିରସେଲଭମଙ୍କ ଗୋଷ୍ଠୀ କନ୍ଦଳ ମଧ୍ୟରେ ଏଆଇଏଡିଏମକେ ଯୁଝୁଥିବା ବେଳେ ତାମିଲନାଡୁ ରାଜନୀତିରେ ଏକ ଶୂନ୍ୟସ୍ଥାନ ଦେଖାଦେଇଛି । ଏହାକୁ ପୂରଣ କରିବା ସହ ଡିଏମକେର ବିକଳ୍ପ ପାଲଟିବାକୁ ଉଦ୍ୟମ କରୁଛି ବିଜୟଙ୍କ ଦଳ । ଡିଏମକେ ବିରୋଧରେ ରହିଥିବା ଭୋଟରଙ୍କୁ ନିଜ ଆଡକୁ ଆଣିବା ଟିବିକେର ଲକ୍ଷ୍ୟ । ଏମିତି ହେଲେ ଡିଏମକେ ବିରୋଧୀ ଭୋଟ୍ ବାଣ୍ଟିହେବ । ଫଳରେ ଲାଭ ପାଇପାରେ ଶାସକ ଡିଏମକେ । ତେଣୁ ଥଲପତି ବିଜୟଙ୍କ ଟିବିକେକୁ ସାଙ୍ଗରେ ନେବାକୁ ଚାହୁଁଛି ବିଜେପି।

ତାମିଲନାଡୁରେ ଷ୍ଟାର ପଲିଟିକ୍ସ ସୁପରହିଟ୍

ତାମିଲନାଡୁ ରାଜନୀତିରେ ଫିଲ୍ମଷ୍ଟାରଙ୍କ ଦବଦବା ରହିଛି । ଏଆଇଏଡିଏମକେର ସଂସ୍ଥାପକ ଏମଜି ରାମଚନ୍ଦ୍ରନ ରାଜନୀତିରେ ସଫଳ ହୋଇଥିଲେ । କଂଗ୍ରେସରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଏମଜିଆର ଡିଏମକେରୁ ବିଧାନ ପରିଷଦ ଓ ବିଧାନସଭା ପହଞ୍ଚିଥିଲେ । ପରେ ୧୯୭୨ରେ ସେ ଏଆଇଏଡିଏମକେ ଦଳ ଗଠନ କରିଥିଲେ । ଏହାର ୫ବର୍ଷ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ବ୍ରାକଗ୍ରାଉଣ୍ଡ ମଧ୍ୟ ଫିଲ୍ମ ସହ ଜଡିତ ରହିଛି । କରୁଣାନିଧି ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜୟଲଳିତା ମଧ୍ୟ ଫିଲ୍ମ ଦୁନିଆରୁ ହିଁ ରାଜନୀତିକୁ ଆସିଥିଲେ । ୧୯୮୨ରୁ ଏଆଇଏଡିଏମକେ ସହ ରାଜନୀତି ଆରମ୍ଭ କରିଥିବା ଜୟଲଳିତା ୬ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ନାଁ ଥାଲାପତି ବିଜୟ ମଧ୍ୟ ତାମିଲନାଡୁ ରାଜନୀତିରେ ଚମକି ପାରନ୍ତି ।

ଥାଲାପତି ବିଜୟଙ୍କ ଲୋକପ୍ରିୟତା ବିଶେଷ କରି ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ରହିଛି । ସେଥିପାଇଁ  ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ବିଜୟଙ୍କ ଦଳ ସହ ମେଣ୍ଟ ପାଇଁ ଆଗୁଆ ପ୍ରସ୍ତୁତି କରୁଛି ବିଜେପି । ସେପଟେ ବିଜୟଙ୍କ ଷ୍ଟାର ପାଓ୍ବାରକୁ ଟକ୍କର ଦେବାକୁ କମଲ ହାସନଙ୍କୁ ଠିଆ କରାଇବାକୁ ବ୍ଲୁପ୍ରିଣ୍ଟ କରିଛି ଡିଏମକେ । ତେବେ ବିଜେପି ପାଇଁ ତାମିଲନାଡୁରେ ଚନ୍ଦ୍ରବାବୁ ନାଇଡୁ ହେବେ କି ବିଜୟ? କେତେ କାମ ଦେବ ବିଜେପିର ବିଜୟ ବ୍ଲୁପ୍ରିଣ୍ଟ? ଡିଏମକେକୁ କ୍ଷମତାରୁ ହଟାଇ ବିଜୟ ବାଟ ପ୍ରସ୍ତୁତ କରିପାରିବ କି ବିଜେପି?

Comments are closed.