ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ ଗୁରୁବାର ଦିନ ଜଣେ ମହିଳାଙ୍କର ଦାୟିତ୍ବହୀନ ଆଚରଣ ଯୋଗୁଁ ରେଳ ସେବା ବାଧା ପ୍ରାପ୍ତ ହୋଇଥିଲା।
ସେ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଥିବା ଶଙ୍କରପାଲି ନିକଟରେ ରେଳ ଧାରଣା ଉପରେ ପ୍ରାୟ ଆଠ କିଲୋମିଟର ପର୍ଯ୍ୟନ୍ତ ନିଜ SUV ଚଳାଉଥିବା ର ଏକ ଭିଡିଓ ଭାଇରାଲ୍ ହୋଇଛି। ତାଙ୍କ ବୟସ ପ୍ରାୟ ୩୪ ବର୍ଷ ହୋଇଥିବା ବେଳେ
ସେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ତାଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା ବେଳେ ସେ ପୋଲିସ ସହ ଝଗଡ଼ା ମଧ୍ୟ କରିଥିଲେ। ତେବେ ଝଗଡା ଏତେ ବଢି ଯାଇଥିଲା ଯେ ଏହାକୁ ଅଟକାଇବାକୁ ୨୦ ଜଣ ପୋଲିସଙ୍କ ସାହାଯ୍ୟ ଦରକାର ପଡ଼ିଥିଲା। ସେ ମାନସିକ ଭାବରେ ଅସୁସ୍ଥ ଅଛନ୍ତି କି ମଦ୍ୟପାନ କରି ଏପରି କାଣ୍ଡ କରିଛନ୍ତି ତାହା ଜାଣିବାକୁ ପୋଲିସ ଚେଷ୍ଟା କରିଛି ଯେଉଁଥିପାଇଁ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।
ଅପରପକ୍ଷରେ ଭିଡିଓରେ ଏକ KIA ସୋନେଟ୍ ଦ୍ରୁତ ଗତିରେ ଟ୍ରାକ୍ ରେ ଯାଉଥିବାର ଦେଖାଯାଇଛି। ଏହା ଦେଖି ରେଳ ଅଧିକାରୀମାନେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ପ୍ରୟାସ ବିଫଳ ହୋଇଯାଇଥିଲା।ଯାହାଫଳରେ ସେମାନେ ସେହି ରୁଟ୍ ରେ ଚାଲିବାକୁ ଥିବା ସମସ୍ତ ଟ୍ରେନ୍ କୁ ବନ୍ଦ କରିଦେଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାର ଚଳାଉଥିବା ମହିଳା ଜଣକ କଳା ସ୍ୱେଟସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଏବଂ ସ୍ନିକର୍ସ ପିନ୍ଧିଥିଲେ ଓ କଳା ରଙ୍ଗର ଡ୍ରାଇଭିଂ ଗ୍ଲୋଭସ୍ ମଧ୍ୟ ପିନ୍ଧିଥିଲେ।
ରେଳ କର୍ମଚାରୀ ଏବଂ ପୋଲିସର ଅନେକ ଚେଷ୍ଟା ପରେ ମହିଳାଙ୍କୁ ଗାଡିରୁ ବାହାର କରାଯାଇଥିଲା।
ତେବେ ସେ ଏକ ମଲ୍ଟି ନେସନାଲ୍ କମ୍ପାନୀରେ କାମ କରୁଥିବା ନେଇ ତଦନ୍ତ ରୁ ଜଣା ପଡ଼ିଛି। ତାଙ୍କ ଗାଡିରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ପ୍ୟାନ୍ କାର୍ଡ ଜବତ କରାଯାଇଥିବା ନେଇ ମଧ୍ୟ ରେଳବାଇ ପୋଲିସ କହିଛି। ମହିଳାଙ୍କ ଏହି କାର୍ଯ୍ୟ ଯୋଗୁଁ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ଥିବା ଅତି କମରେ ୧୦-୧୫ଟି ଟ୍ରେନକୁ ସ୍ଥାନାନ୍ତର କରିବାକୁ ପଡିଥିଲା।
Comments are closed.