ଭୁବନେଶ୍ବର : ରାଜ୍ୟରେ ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫ୍ଆଇ)ର ଏକମାତ୍ର ଅନୁବନ୍ଧିତ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବଛାବଛା କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ାବିତ୍ଙ୍କ ସହ ସାରା ଦେଶର ୨୪ଜଣ ଜାତୀୟସ୍ତରୀୟ କ୍ରୀଡ଼ା ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଥିଲେ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ଏବଂ ହକି କିଂବଦନ୍ତି ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି। ଶ୍ରୀ ସିଂହଦେଓ ଏହି ଅବସରରେ କହିଥିଲେ, ଜଣେ କ୍ରୀଡ଼ାବିତ୍ଙ୍କ ପେସାଦାର ଜୀବନ ଏକ ସୀମିତ ସମୟ ପାଇଁ ରହିଥାଏ ।
ଏଣୁ ସବୁବେଳେ ସକାରାତ୍ମକ ଖବର ପରିବେଷଣ କରି କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ହେଉଛି କ୍ରୀଡ଼ା ସାମ୍ବାଦିକଙ୍କ ଧର୍ମ ଓ କର୍ତ୍ତବ୍ୟ। ଓଡ଼ିଶା ସରକାର କ୍ରୀଡ଼ା ବିକାଶକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। କ୍ରୀଡ଼ାବିତ୍ମାନଙ୍କ ସମଗ୍ର ବିକାଶ ଲାଗି ସେମାନଙ୍କ ସହ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ମଧ୍ୟ ବିଜ୍ଞାନ ସମ୍ମତ ଏବଂ ଆବଶ୍ୟକସ୍ଥଳେ ବିଦେଶରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇପାରିଲେ ବହୁତ ଭଲ ହେବ। ନିକଟରେ ଶେଷ ହୋଇଥିବା ଏସୀୟ ଦୌଡ଼କୁଦର ମହିଳା ୪ଗୁଣା ୧୦୦ ରିଲେରେ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରାବଶୀ, ଜଣେ କ୍ରୀଡ଼ାବିତ୍ ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାର କ୍ରୀଡ଼ା ପ୍ରୋତ୍ସାହନ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେହିଭଳି ଓଡ଼ିଶାର କ୍ରୀଡ଼ା ବିକାଶ ଟ୍ରାକ୍ରେ ରହିଛି ।
କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଦିଲୀପ ମତ ରଖିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓସ୍ଜା ସଂପାଦକ ସୁରେଶ କୁମାର ସ୍ବାଇଁ, ସଭାପତି ସନ୍ଦୀପ ମିଶ୍ର, ପୂର୍ବତନ ସଭାପତି କେ. ରବିଙ୍କ ସହ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କେ. ରବିକୁମାର, ରଶ୍ମିରଞ୍ଜନ ପରିଡ଼ା, ମହମ୍ମଦ ଜାଫର ଇକ୍ବାଲ, ସୁଖରାମ ମାଝୀ ପ୍ରମୁଖଙ୍କ ଭଳି କ୍ରୀଡ଼ା ତାରକା ଉପସ୍ଥିତ ଥିଲେ। ସାଗରିକା ପରିଡ଼ାଙ୍କ ନିର୍ଦ୍ଦେଶନାରେ କୁନିକୁନି ପିଲାମାନେ ଓଡ଼ିଶୀ, ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରି ରାଜ୍ୟ ବାହାରୁ ଆସିଥିବା ସାମ୍ବାଦିକମାନଙ୍କୁ ଓଡ଼ିଶାର ମହନୀୟ କଳା ସଂସ୍କୃତିର ଝଲକ ଦେଖାଇଥିଲେ।
Comments are closed.