Latest Odisha News

BREAKING NEWS

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି, କାଲି ୫ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ରଥ ଉପରେ ନୀତିକାନ୍ତି ଶେଷ ହେବାପରେ ଚାରମାଳ ବନ୍ଧା ହୋଇଥିଲା, ଏହାପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି। ସୋମବାରଠାରୁ  ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଆଡ଼ପମଣ୍ଡପରେ ଦର୍ଶନ ଦେବେ। ସେହିପରି ସୋମବାରଠାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇବେ।

ପରମ୍ପରା ଅନୁଯାୟୀ, ଠାକୁରମାନେ ପହଣ୍ଡି ପାଇଁ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ ସହ ଆଳତି କରିଥିଲେ। ପରେ ପହଣ୍ଡି ହୋଇ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା।

ଶ୍ରୀସୁଦର୍ଶନ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଜନ୍ମବେଦିକୁ ବିରାଜମାନ କରିଛନ୍ତି। ଏହା ପରେ ଦେବୀ ମା’ ସୁଭଦ୍ରା ମଧ୍ୟ ଆଡ଼ପ ବିଜେ କରିଥିଲେ । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା।

ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ରାତି ୨ଟା ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ତେଣୁ ମହାପ୍ରଭୁଙ୍କ ବନକଲାଗି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

ଶ୍ରୀଜିଉମାନେ ସୋମବାର ଦିନ ଠାରୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ ଫଳ ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ମିଳିଥାଏ ବୋଲି କୁହାଯାଏ । ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଅଛି ।

 

 

Comments are closed.