ଶ୍ରୀ ଭାଗବତ ସାର ୮୩: ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ ଭବବନ୍ଧନ ରୋଗର ମହୌଷଧୀ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା ପୂର୍ବରୁ ମହର୍ଷି ବ୍ୟାସଦେବଙ୍କର ଦେବର୍ଷି ନାରଦଙ୍କ ଉପଦେଶ ମନେ ପଡିଲା। ଶ୍ରୀକୃଷ୍ଣଙ୍କ ଠାରେ ଭକ୍ତିଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ ଭବବନ୍ଧନ ରୋଗର ମହୌଷଧୀ, ଏହି ସାରତତ୍ୱ ପ୍ରଦାନ କରିବା ସମୟରେ ନାରଦ ନିଜ ପୂର୍ବ ଜନ୍ମ କାହାଣୀ କହିଥିଲେ।
ନାରଦ କହିଲେ “ପୂର୍ବ ଜନ୍ମରେ ମୁଁ ଏକ ଦାସୀର ପୁତ୍ର ଭାବରେ ଜନ୍ମ ନେଇଥିଲି। କିନ୍ତୁ ମୋ ମାତା ଅତ୍ୟନ୍ତ ଧର୍ମ ପରାୟଣ ଥିବାରୁ ଏକ ଚାତୃମାସ ଯାପନ ଉଦେଶ୍ୟରେ ଏକତ୍ରିତ ହୋଇଥିବା ମୁନି ମାନଙ୍କ ସେବାରେ ମୋତେ ନିଯୁକ୍ତ କରିଥିଲେ
ମୋର ସେଵାରେ ନିଷ୍ଠା, ବିନୟ ଗୁଣ ଓ ସମୟାନୁବର୍ତ୍ତିତା ଯୋଗୁ ମୁନି ମାନେ ସ୍ନେହ ଓ କୃପା କରିବାକୁ ଲାଗିଲେ। ସେହି ମୁନି ମାନଙ୍କ ଉଚ୍ଚିଷ୍ଠ ଖାଇ ମୋର ସମସ୍ତ ପାପ ଦୂରିଭୂତ ହେଲା ତଥା ଚିତ୍ତ ବିଶୁଦ୍ଧ ହୋଇଗଲା। ଏହାପରେ ମୁଁ ପ୍ରତିଦିନ ମୁନିମାନେ ଆଲୋଚନା କରୁଥିବା ପରଂବ୍ରହ୍ମ କୃଷ୍ଣଙ୍କ ଅମୀୟ ଗାଥା ଶୁଣିବାକୁ ଲାଗିଲି।
ଧୀରେ ଧୀରେ ମୋର ବ୍ରହ୍ମଜ୍ଞାନ ଉଦୟ ହେବାକୁ ଲାଗିଲା। ମୁଁ ବୁଝିଲି ମଣିଷର ସ୍ଥୁଳ ଓ ସୁକ୍ଷ୍ମ ଶରୀର ପରଂବ୍ରହ୍ମଙ୍କ ଦାନ ଓ ତାଙ୍କରି ସେଵାରେ ବିନିଯୋଗ ହେବା ଆବଶ୍ୟକ। ବର୍ଷା ଓ ଶରତ ଋତୁର ଚାରିମାସ ନିୟମିତ ଗୋବିନ୍ଦଙ୍କ ନିର୍ମଳ ଯଶକଥା ଶ୍ରବଣ ଦ୍ୱାରା ମୋର ରଜ ଓ ତମ ଗୁଣର ବିନାଶ ଘଟି ସତ୍ୱ ଗୁଣର ବିକାଶ ଘଟିଲା, ମୋର ବୟସ ସେତେବେଳେ ମାତ୍ର ପାଞ୍ଚ ବର୍ଷ, କିନ୍ତୁ ଵିଧିର ବିଧାନ ଅନୁସାରେ ମୋର ଜନନୀ ସର୍ପ ଆଘାତରେ ମୃତ୍ୟୁ ବରଣ କଲେ। ମୁନି ମାନଙ୍କ ଆଶୀଷ ଯୋଗୁ ମୁଁ ଏହି ଘଟଣାକୁ ଈଶ୍ୱର ଇଚ୍ଛା ଜ୍ଞାନ କରି ଗୃହତ୍ୟାଗ କଲି।
ଅନେକ ଦୂର ଅତିକ୍ରମ କରି ମୁଁ ଏକ ନଦୀ କୂଳରେ ପହଂଚିଲି, ସେହି ନଦୀରେ ସ୍ନାନ ସାରି ତାର ଶୀତଳ ଜଳ ପାନ କରି କ୍ଷୁଧା ତୃଷା ନିବାରଣ କଲି ତାପରେ ଏକ ଅଶ୍ୱତଥ ବୃକ୍ଷ ମୂଳରେ ବସି ପରମାତ୍ମାଙ୍କୁ ଧ୍ୟାନ କଲି। ମୋ ଚିତ୍ତ ଭକ୍ତିରେ ପୂର୍ଣ୍ଣ ହେଲା ଶରୀର ରୋମାଂଚିତ ହେଲା, ସମସ୍ତ ଦୁଃଖ କ୍ଳେଶ ଅପସରି ଗଲା ଆସ୍ତେ ଆସ୍ତେ ମୋ ହୃଦୟରେ ପରଂବ୍ରହ୍ମଙ୍କ ସତ୍ତାର ଅନୁଭବ ଆସିଲା। ମୁଁ ଆକୁଳ ଭାବରେ ପ୍ରାର୍ଥନା କଲି ହେ ନାଥ ମୋତେ ଦେଖା ଦିଆ, କିନ୍ତୁ ଶୂନ୍ୟ ବାଣୀ ହେଲା ଏ ଶରୀରରେ ମୋତେ ତୁମେ ଦର୍ଶନ କରି ପାରିବ ନାହିଁ, କିନ୍ତୁ ତୁମର ଅଚଳା ଭକ୍ତି ଓ ପରବ୍ଧ ବଳରେ ତୁମେ ମୋର ପରମ ସାନିଧ୍ୟ ଲାଭ କରିବ।
ମୋର ସ୍ଥୁଳ ଶରୀର ନାଶ ହେଲା ଓ ସୁକ୍ଷ୍ମ ସତ୍ତା ବ୍ରହ୍ମାଙ୍କ ନିଶ୍ୱାସ ସହ ତାଙ୍କ ମଧ୍ୟରେ ବିଲୀନ ହେଲା ଓ ବ୍ରହ୍ମାଙ୍କ ପ୍ରାଣରୁ ଜନ୍ମ ନେଇ ଏହି ଦିବ୍ୟ ଦେବର୍ଷି ସ୍ୱରୂପ ପ୍ରାପ୍ତ ହେଲି ଓ ଅହରହ ହରି ନାମ ଗାନ କରିବାର ସୁଯୋଗ ପାଇଲି। ଏଣୁ ହେ ମହର୍ଷି ବ୍ୟାସଦେବ ତୁମେ ନିଜର ବିଷାଦ ବା ଅଶାନ୍ତ ମନକୁ ଶାନ୍ତି କରିବା ପାଇଁ ଓ ଜଗତ କଲ୍ୟାଣ ପାଇଁ ଏପରି ଏକ ଗ୍ରନ୍ଥ ରଚନା କର ଯାହା କେବଳ ଶ୍ରୀକୃଷ୍ଣ ଭକ୍ତି ରସରେ ପୂର୍ଣ୍ଣ ଥିବ। ଏପରି ଉପଦେଶ କଥା ମନେ ପକାଇ ବ୍ୟାସ ଦେବ ବଦରୀ ବୃକ୍ଷ ମଣ୍ଡିତ ଆଶ୍ରମରେ ଉପଵେଶନ କରି ଧ୍ୟାନ କଲେ ସମ୍ପୁର୍ଣ୍ଣ ଭାବରେ ମନକୁ ଶାନ୍ତ କରି ପରଂବ୍ରହ୍ମଙ୍କ ଚିନ୍ତାରେ ନିମଗ୍ନ ହେଲେ ଯାହାର ଫଳ ସ୍ୱରୂପ ଜୀବ ମାନଙ୍କ ଉଦ୍ଧାର ନିମନ୍ତେ ଆରମ୍ଭ ହେଲା ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା ବର୍ଣନାରେ ପରିପୂର୍ଣ ମହାପୁରଣ, ଶ୍ରୀମଦ ଭାଗବତ।
ଶ୍ରୀ ଜଗନ୍ନାଥ ଦାସଙ୍କ ଭାଷାରେ ସୁନ୍ଦର ବର୍ଣନା ଏହିପରି
ଏ କଳି ଯୁଗେ ଯେତେ ନରେ।
ପଡିବେ ମାୟା ଅନ୍ଧକାରେ।।
ତାହାଙ୍କୁ ତପନ ଉଦିତ।
ହୋଇବ ଭାବେ ଭାଗବତ।।
ଆସନ୍ତୁ ସେହିଁ ତପନଙ୍କ ପବିତ୍ର ରଶ୍ମିର ଆଲୋକ ରେ ନିଜକୁ ଆଲୋକିତ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.