କଟକ: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷା। ହୋମ୍ ସାଇନ୍ସ ଥିଓରି ପରୀକ୍ଷ ସୋମବାର ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ। ୬ ଟି ବିଷୟରେ ହେବାକୁ ଥିବା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ରେ ଶେଷ ହେବ।
କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ୨୦୨୫ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍ ଏବଂ ଏମ୍ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୩ ହଜାର ୨୩୨ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ବିଭିନ୍ନ ଜିଲାରେ ମୋଟ ୯୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ଯେଭଳି ସୁରୁଖୁରୁରେ ପରୀକ୍ଷା ଦେବେ ସେଥି ନିମନ୍ତେ ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।
ସେହିପରି ଏସ୍ଓଏସ୍ସି ପରୀକ୍ଷା ପାଇଁ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ପାଇଁ ୯୮ ଟି ପରୀକ୍ଷା କେନ୍ଦ୍ର ଓ ଏସ୍ଓଏସ୍ସି ପରୀକ୍ଷା ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ଦୁଇଟି ଯାକ ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ଗତକାଲି ସୁଦ୍ଧା ପ୍ରଶ୍ନପତ୍ର ଓ ଖାତା ଆଦି ପହଞ୍ଚି ସାରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍ ରହିଥିଲେ ମଧ୍ୟ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି ସେଣ୍ଟର୍ ସୁପରିଟେଣ୍ଡେଣ୍ଟ୍ମାନଙ୍କୁ ସତର୍କ କରାଇ ଦିଆଯାଇଛି।
Comments are closed.