Latest Odisha News

‘ଅପରେସନ ସିନ୍ଦୂର’କୁ ନେଇ ହଙ୍ଗାମା; ସଫେଇ ଦେଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ପ୍ରତିରକ୍ଷା ଅତାସେ କ୍ୟାପ୍ଟେନ୍ ଶିବ କୁମାରଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛି।

ଭାରତୀୟ ଦୂତାବାସ କହିଛି ଯେ ଇଣ୍ଡୋନେସିଆର ପ୍ରତିରକ୍ଷା ଅତାସେ ଏକ ସେମିନାର ସମୟରେ ପାକିସ୍ତାନ ବିରୁଦ୍ଧରେ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ୍ ସିନ୍ଦୂର ଉପରେ ମନ୍ତବ୍ୟ ଦେଇଥିଲେ। କିନ୍ତୁ ଗଣମାଧ୍ୟମ ରିପୋର୍ଟରେ ତାଙ୍କ ବକ୍ତବ୍ୟକୁ ବିକୃତ କରାଯାଇଥିଲା।

ଏହା ପରେ ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କ୍ୟାପ୍ଟେନ୍ ଶିବ କୁମାରଙ୍କ ମନ୍ତବ୍ୟକୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ। ଭାରତୀୟ ଦୂତାବାସ ଏହାର ବିବୃତ୍ତିରେ ସ୍ପଷ୍ଟ କରିଛି ଯେ ସେମିନାର ସମୟରେ ପ୍ରତିରକ୍ଷା ଅତାସେ କ୍ୟାପ୍ଟେନ୍ ଶିବ କୁମାରଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଗଣମାଧ୍ୟମରେ ଭୁଲ ବ୍ୟାଖ୍ୟା କରାଯାଇଛି। ଏହା ପ୍ରକୃତ ସତ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ।” ଦୂତାବାସ କହିଛି, “ଆମେ ଇଣ୍ଡୋନେସିଆନ ବିଶ୍ୱବିଦ୍ୟାଳୟରେ ଏକ ସେମିନାରରେ ଭାରତର ପ୍ରତିରକ୍ଷା ଅତାସେଙ୍କ ବୟାନ ଉପରେ ଗଣମାଧ୍ୟମ ରିପୋର୍ଟ ପ୍ରଦର୍ଶିତ ହେଉଥିବା ଦେଖିଛୁ। କିନ୍ତୁ ତାଙ୍କ ବକ୍ତବ୍ୟକୁ ଗଣମାଧ୍ୟମ ଦ୍ୱାରା ବିକୃତ ଭାବରେ ଉପସ୍ଥାପିତ କରାଯାଇଛି। ଗଣମାଧ୍ୟମ ଭାରତର ଅପରେସନ୍ ସିନ୍ଦୂର କାର୍ଯ୍ୟାନୁଷ୍ଠାନର ପ୍ରକୃତ ଉଦ୍ଦେଶ୍ୟ ଏବଂ ଆକ୍ରମଣ ପଦ୍ଧତିକୁ ଭୁଲ ଭାବରେ ଉପସ୍ଥାପନ କରିଛି।”

ସେହିପରି କଂଗ୍ରେସ ଇଣ୍ଡୋନେସିଆରେ ଭାରତର ପ୍ରତିରକ୍ଷା ଅତାସେ କ୍ୟାପ୍ଟେନ୍ ଶିବ କୁମାରଙ୍କ କଥିତ ମନ୍ତବ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏହା ବ୍ୟତୀତ ମୋଦି ସରକାର ଦେଶକୁ ଭ୍ରମିତ କରୁଥିବାର ମଧ୍ୟ ଅଭିଯୋଗ କରିଛି କଂଗ୍ରେସ।

କଂଗ୍ରେସ ମହାସଚିବ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, “ସମ୍ପ୍ରତି ଇଣ୍ଡୋନେସିଆରେ ଏକ ସେମିନାରରେ ଭାରତୀୟ ନୌସେନା କ୍ୟାପ୍ଟେନ୍ ଶିବ କୁମାର କହିଥିଲେ ଯେ ୭ ମଇ ୨୦୨୫ ରାତିରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିବା ସମୟରେ ଭାରତୀୟ ବାୟୁସେନା ତାର ଲଢ଼ୁଆ ବିମାନ ହରାଇଥିଲା।”

 

Comments are closed.