ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଏକ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିପାରେ । ପରଦା ପଛରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ସେନା ମୁଖ୍ୟ ଅସିମ ମୁନିରଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ଜର୍ଦ୍ଦାରୀଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ପ୍ରସ୍ତୁତି କରୁଛନ୍ତି ମୁନିର । ଏପରିକି ଖୁବ୍ ଶୀଘ୍ର ଜର୍ଦ୍ଦାରିଙ୍କୁ ହଟାଇ ଅସିମ ମୁନିର ରାଷ୍ଟ୍ରପତି ପଦ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିଜ ଶକ୍ତି ବଢାଇବାକୁ ମୁନିର ପାକିସ୍ତାନ ସମ୍ବିଧାନରେ ବି ପରିବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି । ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ପୁଅ ବିଲାଓ୍ବଲ ଭୁଟ୍ଟୋ ନିକଟରେ ମୁନିରଙ୍କୁ ସାର୍ବଜନୀନ ଭାବେ ସମାଲୋଚନା କରିଛନ୍ତି । ଏହାପରେ ପାକିସ୍ତାନ ରାଜନୀତିରେ ନୂଆ ଆକଳନ ନେଇ ଚର୍ଚ୍ଚା ହେଉଛି । ପରଦା ପଛରୁ ମୁନିର ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ବିରୋଧରେ ଗୋଟି ଚଳାଉଥିବା କୁହାଯାଉଛି ।
ମୁନିର ହେବେ ରାଷ୍ଟ୍ରପତି !
ପାକିସ୍ତାନରେ ବଡ଼ ଧରଣର ରାଜନୈତିକ ଝଡ଼ ଆସିପାରେ । ପରଦା ପଛରେ କ୍ଷମତା ପରିବର୍ତ୍ତନ ନେଇ ବଡ଼ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି । ଜେନେରାଲ ଅସିମ ମୁନିର ଜର୍ଦ୍ଦାରୀଙ୍କୁ ପଦରୁ ହଟାଇବାକୁ ଉଦ୍ୟମ କରୁଥିବା ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିକଟରେ ଫିଲଡ ମାର୍ସଲ ପଦକୁ ପ୍ରମୋସନ ପାଇଥିବା ଅସିମ ମୁନିର ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି। ତେବେ ଜର୍ଦ୍ଦାରୀ ନିଜ ଆଡୁ ପଦ ଛାଡିବେ ନା ତାଙ୍କୁ ପଦରୁ ହଟାଯିବ ସେନେଇ ଚିତ୍ର ଅସ୍ପଷ୍ଟ ରହିଛି । କ୍ଷମତା ପରିବର୍ତ୍ତନର ଏହି ଚାଲରେ ସରିଫ ପରିବାରର ସଂପୃକ୍ତି ରହିଛି କି ନାହିଁ, ତାହା ପ୍ରଶ୍ନଘେରରେ ରହିଛି ।
ଶହବାଜ ସରିଫଙ୍କ ପଦ ବି ଯିବ !
ପାକିସ୍ତାନର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ଜେନେରାଲ ଅସିମ ମୁନିର । ସେ ନିଜର ଶକ୍ତିକୁ ଆହୁରି ବଢାଇବାକୁ ଜର୍ଦ୍ଦାରୀଙ୍କୁ ପଦରୁ ହଟାଇ ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି । ତେବେ ପ୍ରଶ୍ନ ଉଠୁଛି, କେବଳ ଜର୍ଦ୍ଦାରୀଙ୍କ ପଦକୁ ବିପଦ ରହିଛି କି? ନା ଶହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ପୂରା କ୍ଷମତା ହାତକୁ ନେବେ ମୁନିର ? ପୂର୍ବରୁ ମଧ୍ୟ ପାକିସ୍ତାନରେ ସେନା ମୁଖ୍ୟ କ୍ଷମତା ପରିବର୍ତ୍ତନ କରିସାରିଛନ୍ତି । ତେଣୁ କ୍ଷମତା ଅକ୍ତିଆରର କାହାଣୀ ଦୋହରାଇ ପାରନ୍ତି ମୁନିର । ତେଣୁ କେବଳ ନିଜକୁ ରାଷ୍ଟ୍ରପତି ପଦରେ ବସାଇବେ ମୁନିର ନା ପାକିସ୍ତାନରେ କ୍ଷମତାର ବ୍ୟାପକ ହସ୍ତାନ୍ତରଣ ହେବ, ସେନେଇ ବି ସସପେନ୍ସ ଲାଗି ରହିଛି ।
ବିଲାଓ୍ୱଲଙ୍କ ସମାଲୋଚନା ବଢାଇଲା ଚର୍ଚ୍ଚା
ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସାର୍ବଜନୀନ ଭାବେ ସେନା ମୁଖ୍ୟ ଅସିମ ମୁନିରଙ୍କୁ ସମାଲୋଚନା କରିବା ପରେ କ୍ଷମତା ପରିବର୍ତ୍ତନ ଚର୍ଚ୍ଚା ବଢିଛି । ଏପରିକି ଭାରତକୁ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦ ଓ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ପ୍ରତ୍ୟର୍ପଣ କରିବା ନେଇ ପାକିସ୍ତାନ ବିଚାର କରିପାରିବ ବୋଲି କହିଛନ୍ତି ବିଲାଓ୍ବଲ । ଏହାକୁ ନେଇ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ହାଫିଜ ସୟିଦର ପୁଅ ସହ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ମଧ୍ୟ ବିଲାଓ୍ବଲଙ୍କ ବୟାନର ସମାଲୋଚନା କରିଥିଲା ।
ଇତିହାସ ଦୋହରାଇବ ଜୁଲାଇ !
ପାକିସ୍ତାନରେ ଜର୍ଦ୍ଦାରୀଙ୍କୁ ହଟାଇବା ଚର୍ଚ୍ଚାକୁ ନେଇ ରାଜନୀତି ସରଗରମ ହୋଇଛି । ଦେଶରେ ପୁଣି ଥରେ ସେନା ଏକଛତ୍ରବାଦ ଫେରିବା ଆଶଙ୍କା ଗଣତନ୍ତ୍ର ସମର୍ଥକଙ୍କ ଚିନ୍ତା ବଢାଇଛି । ୧୯୭୭ ମସିହା ଜୁଲାଇ ୫ତାରିଖରେ ଜେନେରାଲ ଜିଆ-ଉଲ୍-ହକ୍ ଇସଲାମାବାଦର କ୍ଷମତା ଉପରେ କବଜା କରିଥିଲେ । ତେଣୁ ପୁଣି ଜୁଲାଇ ମାସରେ କ୍ଷମତା ପରିବର୍ତ୍ତନର କାହାଣୀର ପୁନରାବୃତ୍ତି ହେବା ନେଇ ଆଶଙ୍କା କରାଯାଉଛି ।
Comments are closed.