ନୂଆଦିଲ୍ଲୀ: ମରୁଭୂମି ଅଞ୍ଚଳର ଅତ୍ୟନ୍ତ ଉପଯୋଗୀ ପ୍ରାଣୀ ଓଟ ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରେ। ଏକ ନୂତନ ଗବେଷଣା ଅନୁଯାୟୀ, ସାପ କାମୁଡ଼ା ପାଇଁ ଓଟ ଲୁହ ଏକ ଔଷଧ ସାଜିପାରେ।
ବିକାନେର ସ୍ଥିତ ଜାତୀୟ ଗବେଷଣା କେନ୍ଦ୍ର (ଏନଆରସିସି) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଓଟ ଲୁହରେ ମିଳୁଥିବା ଆଣ୍ଟିବଡି ୨୬ଟି ସାପର ବିଷକୁ କାଟିପାରିବ।
ଲିଭରପୁଲ ସ୍କୁଲ ଅଫ୍ ଟ୍ରପିକାଲ୍ ମେଡିସିନର ସ୍ନେକବାଇଟ୍ ରିସର୍ଚ୍ଚ ସେଣ୍ଟର ମଧ୍ୟ ଏନେଇ ଏକ ରିପୋର୍ଟ ଜାରି କରିଥିଲା। ତଦନୁଯାୟୀ, ଓଟ ଲୁହ ସାପ କାମୁଡ଼ା ଔଷଧ ଭାବେ ପ୍ରଭାବଶାଳୀ ହୋଇପାରେ। ପୂର୍ବରୁ ଦୁବାଇର କେନ୍ଦ୍ରୀୟ ପଶୁଚିକିତ୍ସା ଗବେଷଣା ଲାବୋରେଟୋରୀ ଦ୍ୱାରା କରାଯାଇଥିବା ଗବେଷଣାରେ ମଧ୍ୟ ଓଟ ଲୁହର ଆଶ୍ଚର୍ଯ୍ୟଜନକ କ୍ଷମତା ଉପରେ ଆଲୋକପାତ କରାଯାଇଥିଲା।
ଏନଆରସିସି ବୈଜ୍ଞାନିକଙ୍କ ଅନୁଯାୟୀ, ଓଟ ଲୁହ ସାପ ବିଷକୁ ପ୍ରତିରୋଧ କରିବାରେ ସକ୍ଷମ। ଗବେଷକମାନେ ଓଟ ଲୁହ ସହିତ ସସ୍କେଲ୍ଡ ଭାଇପରର ବିଷକୁ ନେଇ ରିସର୍ଚ୍ଚ କରିଥିଲେ। ଯଦିଓ ଏହି ସାପ କାମୁଡ଼ିବା ପରେ କାହାରି ବଞ୍ଚିବା ସମ୍ଭବ ନୁହେଁ। ତେବେ ଓଟ ଲୁହରୁ ବାହାର କରାଯାଇଥିବା ଆଣ୍ଟିବଡି ବିଷର ଘାତକ ପ୍ରଭାବକୁ ପ୍ରତିରୋଧ କରିବାରେ ସଫଳ ହୋଇଛି। ଏହି ପ୍ରକାରର ଔଷଧ ଭାରତ ସମେତ ସେହି ଦେଶଗୁଡ଼ିକୁ ଆଶ୍ୱସ୍ତି ଦେଇପାରିବ, ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁବରଣ କରିଥାନ୍ତି।
Comments are closed.