Latest Odisha News

BREAKING NEWS

ମନମୋହନଙ୍କ ଆଗରେ ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ବର: ପୁଣି ବିଜେପି ସଭାପତି ହୋଇଛନ୍ତି ମନମୋହନ ସାମଲ । ପୁଣି ତାଙ୍କ ଉପରେ ଭରସା କରିଛନ୍ତି ବିଜେପି ହାଇକମାଣ୍ଡ । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ । ଫଳରେ ସେ ଚତୁର୍ଥ ଥର ପାଇଁ ଦଳର ରାଜ୍ୟ ସଭାପତି ପଦରେ ବସିଛନ୍ତି । ତେବେ ମନମୋହନଙ୍କ ପାଇଁ ସହଜ ହେବନି ସଭାପତି ବାଟ । କାରଣ ତାଙ୍କ ସାମନାରେ ରହିଛି ଅନେକ ଚ୍ୟାଲେଞ୍ଜ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଥିବା ବେଳେ ସରକାରଙ୍କ ସହ ସମନ୍ବୟ ଅଭାବକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଛି । ନେତାଙ୍କ ଥଇଥାନ ସାଙ୍ଗକୁ ରାଜନୈତିକ ପଦ ପୂରଣ ଉପରେ ବି ଫୋକସ୍ ରହିବ । କଲେଜ ଇଲେକ୍ସନ୍ ହେଉ କି ପଞ୍ଚାୟତ ନିର୍ବାଚନ, ମନମୋହନଙ୍କ କାନ୍ଧରେ ରହିବ ଗୁରୁଦାୟିତ୍ବ ।

ଗୋଷ୍ଠୀ ବିବାଦ ବଡ଼ ଚ୍ୟାଲେଞ୍ଜ

ବିଜେପି ଭିତରର ଗୋଷ୍ଠୀ ବିବାଦ ଅନେକ ଥର ସାମନାକୁ ଆସିଛି । ବିଶେଷ କରି ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣାରେ ବିବାଦକୁ ନେଇ ଚର୍ଚ୍ଚା ହୋଇଥିଲା । ବିଜେପି ନିର୍ବାଚନ ଜିତିବା ପରଠୁ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀର ଚାପ ଓ ହସ୍ତକ୍ଷେପ ନେଇ କୁହାଯାଉଛି । ମନ୍ତ୍ରିମଣ୍ଡଳ ହେଉ କି ରଥଯାତ୍ରା ପାସ ବଣ୍ଟନ ସବୁଠି ସେହି ପ୍ରଭାବଶାଳୀ ଗୋଷ୍ଠୀର ପ୍ରଭାବ ନେଇ ଚର୍ଚ୍ଚା ହୋଇ ଆସିଛି । ତେଣୁ ମନମୋହନ ସାମଲ କେମିତି ସେହି ଗୋଷ୍ଠୀର ନେତାଙ୍କ ସହ ତାଳମେଳ ରକ୍ଷା କରିବେ? କେମିତି ଦଳ ଭିତରର ମତଭେଦକୁ ତୁଟାଇବେ? କେମିତି ସବୁ ଗୋଷ୍ଠୀକୁ ସାଙ୍ଗରେ ନେଇ ଚାଲିବେ? ତାହା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । କାରଣ ତୃଣମୂଳରୁ ଉପରସ୍ତର ପର୍ଯ୍ୟନ୍ତ ବିଜେପିରେ ବିଭିନ୍ନ ଗୋଷ୍ଠୀ ସକ୍ରିୟ ରହିଛନ୍ତି । ତେବେ ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ଗୋଷ୍ଠୀ ଅନୁରକ୍ତି ବଦଳିବା ସହ ଦଳ ଭିତରର କ୍ଷମତା ସମୀକରଣରେ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଥଇଥାନ, ପଦ ପୂରଣ

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଥିବା ବେଳେ ଏବେବି ମନ୍ତ୍ରିମଣ୍ଡଳରେ ୬ମନ୍ତ୍ରୀ ପଦ ଖାଲି ପଡିଛି । ସେହିପରି ନିଗମ ବଣ୍ଟା କାମ ବି ହୋଇପାରିନି । ରାଜ୍ୟ ବିଜେପିର ମୁଖିଆ ଭାବେ ଏସବୁରେ ମନମୋହନ ସାମଲଙ୍କ ମତ ନିଶ୍ଚିତ ଭାବେ ଗୁରୁତ୍ବ ରଖିବ । କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ? କାହାକୁ ମନ୍ତ୍ରୀ ପଦ ଖାଲି କରିବାକୁ କୁହାଯିବ? କେମିତି ନେତାଙ୍କୁ ଥଇଥାନ କରିବା ସହ ରାଜନୈତିକ ପଦବୀ ପୂରଣ କରାଯିବ? ବିଧାୟକ ଓ ନେତାଙ୍କୁ ସନ୍ତୁଷ୍ଟ କଲା ଭଳି ନିଷ୍ପତ୍ତି ନେଇପାରନ୍ତି ମନମୋହନ। ଏଥିପାଇଁ ତାଙ୍କୁ ସବୁ ଗୋଷ୍ଠୀ, ଆଞ୍ଚଳିକ ଆଧାର ଓ ଜାତିଗତ ସମୀକରଣ କଷିବାକୁ ପଡିବ । ଖାଲି ସେତିକି ନୁହେଁ, ଅନେକ ସମୟରେ ସରକାର ଓ ଦଳ ମଧ୍ୟରେ ସମନ୍ବୟ ଅଭାବକୁ ନେଇ ଚର୍ଚ୍ଚା ହୋଇଛି । ତେଣୁ ଏଦିଗ ପ୍ରତି ବି ଦୃଷ୍ଟି ଦେବାକୁ ପଡିବ ।

ନିର୍ବାଚନ ଅଗ୍ନିପରୀକ୍ଷା

ଗତ ନିର୍ବାଚନରେ ବିଜେପିର ବଡ଼ ବିଜୟର ଶ୍ରେୟ କେଉଁଠି ନା କେଉଁଠି ମନମୋହନ ସାମଲଙ୍କୁ ଯାଇଥିଲା । ନିଜେ ନିର୍ବାଚନ ହାରିଥିଲେ ବି ଦଳ ପାଇଁ ଐତିହାସିକ ବିଜୟର ପଟ୍ଟକଥା ଲେଖିଥିଲେ ମନମୋହନ । ଆଗକୁ କଲେଜ ଇଲେକ୍ସନ୍ ହୋଇପାରେ । ବିଜେଡିର କ୍ୟାମ୍ପସରେ ଦବଦବା ପୂର୍ବରୁ ଭଲ ରହି ଆସିଥିବା ବେଳେ ବିଜେପି ଛାତ୍ର ସଂଗଠନକୁ ବିଜୟ ମନ୍ତ୍ର ଦେବେ ମନମୋହନ। ସେହିପରି ଦେଢ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ଥିବାରୁ ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାକୁ କାମ ଆରମ୍ଭ କରିବାକୁ ପଡିବ । କାରଣ ପଞ୍ଚାୟତ ରାଜନୀତିରେ ବିଜେଡି ଓ କଂଗ୍ରେସ ପକ୍ଷରୁ କଡା ମୁକାବିଲା କରାଯିବ । ଏହାସହ ରାଜ୍ୟ ବିଜେପି ସରକାରଙ୍କ କାମକୁ ନଜରରେ ରଖି ଭୋଟ୍ ଦେବେ ଜନତା ।

ରାଜ୍ୟରେ ବିଜେପି ସଂଗଠନକୁ ଶକ୍ତିଶାଳୀ କରିବା ସହ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ବି ମନମୋହନ ସାମଲଙ୍କୁ ଫୋକସ୍ କରିବାକୁ ପଡିବ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ଓଡିଶା ଗସ୍ତରୁ ଦିଲ୍ଲୀର ଫୋକସରେ ଓଡିଶା ଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ବିଜେପି ମନ୍ତ୍ରିମଣ୍ଡଳ ସହ ସାଂଗଠନିକ ସ୍ତରରେ ଆଗକୁ ଅଦଳବଦଳ ହୋଇପାରେ । ତେବେ ପଦପଦବୀ ପାଇଁ ଅନେକ ଆଶାୟୀ ଥିବାରୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Comments are closed.