ଏଫଏମ ଛାତ୍ରୀ ଆତ୍ମାହୁତି: ଏବେ ବି ଜଟିଳ ରହିଛି ଛାତ୍ରୀଙ୍କ ଅବସ୍ଥା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜକୁ ଜାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଏବେ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି । ଆଜି ମଧ୍ୟ ବାଲେଶ୍ବରରେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବାଲେଶ୍ବରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ ।
ବିରୋଧୀ ଲଗାତାର ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଥିବା ବେଳେ ରବିବାର ମଧ୍ୟ ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିବା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ବାରମ୍ବାର ଦାବି କରାଯାଇଥିଲା । ଏନେଇ ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଥିଲେ ଯେ ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ପରିଚାଳନା କରିବାରେ ବିଫଳ ଅଯୋଗ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏ ସମଗ୍ର ଘଟଣାପାଇଁ ଦାୟୀ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।
ସେପଟେ ଅପରପକ୍ଷରେ ଆଜି ବି ପୀଡିତା ଛାତ୍ରୀଙ୍କ ଅବସ୍ଥା ଜଟିଳ ରହିଛି । ଶରୀର ୯୫ ପ୍ରତିଶତ ଜଳିଯାଇଥିବା ବେଳେ ଏବେ ସୁଦ୍ଧା ସ୍ଥିତିରେ କୌଣସି ସୁଧାର ଆସିନି । ଏନେଇ ଛାତ୍ରୀଙ୍କ ଅବସ୍ଥା ନେଇ ସୂଚନା ଦେଇ ଭୁବନେଶ୍ବର ଏମ୍ସ ଅଧୀକ୍ଷକ ଦିଲୀପ ପରିଡ଼ା କହିଛନ୍ତି, ବାଲେଶ୍ବର ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ସ୍ଥିତିରେ ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ । ଆଜି ଟିକେ ଟେମ୍ପରେଚର ଆସିଥିଲା, ଆଣ୍ଟିବାଓଟିକ୍ସ ଚାଲିଛି ବୋଲି ସେ କହିଛନ୍ତି ।
ସେପଟେ ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ନେଇ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ପୁଣି ଏଫଏମ କଲେଜରେ କ୍ରାଇମ୍ବ୍ରାଞ୍ଚର CAW&CWର ୨ ଜଣିଆ ଟିମ୍ ଘଟଣାର ଖୋଳତାଡ କରୁଛି । ଲଗାତାର ଦ୍ବିତୀୟ ଦିନ ପାଇଁ କଲେଜରେ ପହଞ୍ଚି ପଚରାଉଚରା ଜାରି ରଖିଛି । ଡିସିପି ଓ ଅତିରିକ୍ତ ଏସପିଙ୍କୁ ନେଇ ଦୁଇ ଜଣିଆ ଟିମ୍ର ତନାଘନା ଜାରି ରଖିଛି ।
Comments are closed.