ଭୁବନେଶ୍ୱର: କାନାଡାର ଟୋରଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।
ଇନଷ୍ଟାଗ୍ରାମ ୟୁଜର୍ସ ସାଙ୍ଗନା ବଜାଜ ରଥଯାତ୍ରା ଏବଂ ଫୁଟପାଥରେ ଭଙ୍ଗା ଅଣ୍ଡା ପଡିଥିବାର ଏକ ଭିଡିଓ ସେୟାର କରିଥିଲେ। ଯାହା ଏକପ୍ରକାର ଜାତିଭେଦ ଅଭିଯୋଗ ଆଣିଥିଲା।
ସେ କହିଛନ୍ତି ଯେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କେହି ଭକ୍ତଙ୍କ ଉପରକୁ ନିକଟସ୍ଥ ଏକ ବିଲ୍ଡିଂରୁ ଅଣ୍ଡା ଫିଙ୍ଗିଥିଲେ। “ଆମେ ସ୍ତବ୍ଧ ହୋଇଯାଇଥିଲୁ। କିନ୍ତୁ ଆମେ ରଥଯାତ୍ରାକୁ ବନ୍ଦ କରିନଥିଲୁ। କାରଣ ଘୃଣା କେବେ ବିଶ୍ୱାସକୁ ପରାସ୍ତ କରିପାରିବ ନାହିଁ। ଯେତେବେଳେ ପ୍ରଭୁ ଜଗନ୍ନାଥ ରାସ୍ତାରେ ଥାଆନ୍ତି, କୌଣସି ଘୃଣା ଆମକୁ ଦୋହଲାଇ ପାରିବ ନାହିଁ। ଏହା କେବଳ ଏକ ଉତ୍ସବ ନୁହେଁ – ଏହା ଅଟଳ ବିଶ୍ୱାସ ବୋଲି ଟୋରଣ୍ଟୋରେ ରହୁଥିବା ଏନଆରଆଇ ସୋସିଆଲ ମିଡିଆରେ ଲେଖିଛନ୍ତି।
ତେବେ ଏକ୍ସରେ ଏକ ପୋଷ୍ଟରେ ନବୀନ କହିଛନ୍ତି ଯେ ସେ ଏହି ଘଟଣା ଦ୍ୱାରା ଗଭୀର ଭାବରେ ମର୍ମାହତ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଏପରି ଘଟଣାଗୁଡ଼ିକ କେବଳ ବିଶ୍ୱବ୍ୟାପୀ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବନାକୁ ଗୁରୁତର ଆଘାତ ଦେଉନାହିଁ, ବରଂ ଓଡ଼ିଶାବାସୀଙ୍କ ପାଇଁ ଗଭୀର ଯନ୍ତ୍ରଣା ସୃଷ୍ଟି କରିଛି, ଯେଉଁମାନଙ୍କ ପାଇଁ ଏହି ପର୍ବ ଗଭୀର ଭାବପ୍ରବଣ ଏବଂ ସାଂସ୍କୃତିକ ମହତ୍ତ୍ୱ ରଖିଥାଏ।
Comments are closed.