ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ସବୁଠାରୁ ବଡ଼ ପଥର ଖଣ୍ଡ ମିଳିଥିବା ବେଳେ ଏହାର ଓଜନ ପ୍ରାୟ ୫୪ ପାଉଣ୍ଡ ଅର୍ଥାତ୍ ୨୫ କିଲୋଗ୍ରାମ ରହିଛି। ତେବେ ଏହାକୁ ନିଲାମ ପାଇଁ ରଖାଯାଇଛି ଯାହାର ଆନୁମାନିକ ମୂଲ୍ୟ $୨ ନିୟୁତ ରୁ $୪ ନିୟୁତ ମଧ୍ୟରେ ବୋଲି ଆକଳନ କରାଯାଉଛି।
ନ୍ୟୁୟର୍କରେ ଥିବା ନିଲାମ ଗୃହ ସୋଥେବିସ୍ ଏକ ପ୍ରାକୃତିକ ଇତିହାସ-ଥିମ୍ କୁ କେନ୍ଦ୍ର କରି ନିଲାମର ଅଂଶ ଭାବରେ ବୁଧବାର ଏହି ‘NWA ୧୬୭୮୮’ ନାମକ ବସ୍ତୁକୁ ବିକ୍ରୟ ପାଇଁ ରଖିବ।
ତେବେ ମିଳିଥିବା ଉଲକା ପିଣ୍ଡଟି ମଙ୍ଗଳ ଗ୍ରହର ପୃଷ୍ଠରୁ ଏକ ବିଶାଳ ଗ୍ରହାଣୁ ସହ ଧକ୍କା ହୋଇ ୧୪୦ ନିୟୁତ ମାଇଲ ଦୂରରେ ଥିବା ପୃଥିବୀର ସାହାରା ମରୁଭୂମିରେ ପଡ଼ିଥିବା ନେଇ କୁହାଯାଇଥିଲା। ମଙ୍ଗଳ ଗ୍ରହର ଏହି ଖଣ୍ଡଟି ନଭେମ୍ବର ୨୦୨୩ ରେ ନାଇଜରରେ ମିଳିଥିବା ନେଇ ସୋଥେବିସ୍ କହିଛି।
ଏହାର ରଙ୍ଗ ଲାଲ, ମାଟିଆ ଏବଂ ଧୂସର ଅଟେ ଓ ପୂର୍ବରୁ ପୃଥିବୀରେ ମିଳିଥିବା ମଙ୍ଗଳ ଗ୍ରହର ଅନ୍ୟାନ୍ୟ ଖଣ୍ଡ ଅପେକ୍ଷା ଏହା ପ୍ରାୟ ୭୦ ପ୍ରତିଶତ ବଡ଼ ହେବା ସହ ବର୍ତ୍ତମାନ ଏଠାରେ ଥିବା ସମସ୍ତ ମଙ୍ଗଳ ଗ୍ରହ ସାମଗ୍ରୀର ପ୍ରାୟ ସାତ ପ୍ରତିଶତ ଅଟେ।
ପୃଥିବୀରେ ମିଳିଥିବା ୭୭୦୦୦ ରୁ ଅଧିକ ଉଲକା ପିଣ୍ଡ ମଧ୍ୟରୁ ମଙ୍ଗଳ ଗ୍ରହର କେବଳ ୪୦୦ଟି ଉଲକା ପିଣ୍ଡକୁ ସରକାରୀ ସ୍ୱୀକୃତି ମିଳିପାରିଛି।
Comments are closed.