Latest Odisha News

ଫିଲ୍ମ ଷ୍ଟାଇଲରେ ହସ୍ପିଟାଲରେ ପଶିଲେ ଦୃର୍ବୁତ୍ତ; ଗ୍ୟାଙ୍ଗଷ୍ଟରକୁ ଗୁଳି ମାରି ଫେରାର…

ପାଟଣା: ବିହାରରେ ଜଣେ ଗ୍ୟାଙ୍ଗଷ୍ଟରକୁ ହସ୍ପିଟାଲ ଭିତରେ ପଶି ପାଞ୍ଚ ଜଣ ଗୁଳି କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପାଟଣାରେ ଥିବା ପାରସ ହସ୍ପିଟାଲର ଆଇସିୟୁରେ ଘଟିଥିବା ଜଣାପଡିଛି।

ତେବେ ସେହି ଅପରାଧୀମାନେ ହସ୍ପିଟାଲର ୨୦୯ ନମ୍ୱର ରୁମ୍ ଭିତରେ ପଶି ମାତ୍ର ୨୫ ସେକେଣ୍ଡ ମଧ୍ୟରେ ଏପରି କାଣ୍ଡ ଘଟାଇଥିଲେ। ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କ ନାମ ଚନ୍ଦନ ମିଶ୍ର ବୋଲି ସୂତ୍ରରୁ ଜଣାପଡ଼ିଛି। ଚନ୍ଦନ ବକ୍ସରର ବାସିନ୍ଦା ଥିଲେ ଓ ସେ କେଶରୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲେ ଏବଂ ତାଙ୍କୁ ବେଉର ଜେଲରୁ ପାରୋଲରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଚନ୍ଦନଙ୍କ କୋଠରୀରୁ ପୋଲିସ ୧୨ଟି ଗୁଳି ଜବତ କରିଛି ଓ ବର୍ତ୍ତମାନ୍ ସୁଦ୍ଧା ତଦନ୍ତ କରି ପୋଲିସ ହସ୍ପିଟାଲର ଗାର୍ଡ ସମେତ ଆହୁରି ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ଏସଏସପି କାର୍ତ୍ତିକ କେ. ଶର୍ମା କହିଛନ୍ତି ଯେ ଚନ୍ଦନ ଜଣେ କୁଖ୍ୟାତ ଅପରାଧୀ ଥିଲେ। ତାଙ୍କ ବିରୋଧରେ ହତ୍ୟା ଏବଂ ଗ୍ୟାଙ୍ଗୱାର ଭଳି ଅନେକ ମାମଲା ପୋଲିସ ପାଖରେ ରୁଜୁ କରାଯାଇଅଛି।

ପୂର୍ବରୁ ବକ୍ସରରେ ଚନ୍ଦନ-ଶେରୁ ଗ୍ୟାଙ୍ଗର ଆତଙ୍କ ଥିଲା କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ତେଣୁ ଏହି ହତ୍ୟାରେ ଶେରୁ ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରୁଛି।ତେବେ ସିସିଟିଭିରୁ ପୋଲିସ ଅପରାଧୀଙ୍କ ଫଟୋ ପାଇଛି ଓ ସେମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବା ନେଇ ମଧ୍ୟ କୁହାଯାଇଛି।

 

Comments are closed.