Latest Odisha News

BREAKING NEWS

ଏଣିକି ସିବିଏସଇ ସ୍କୁଲରେ ଲଗାଇବ ‘ଅଏଲ ବୋର୍ଡ’

ନୂଆଦିଲ୍ଲୀ: ସିବିଏସଇ ବର୍ତ୍ତମାନ୍ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ ସମସ୍ତ ସ୍କୁଲକୁ ଏକ ‘ଅଏଲ ବୋର୍ଡ’ ଲଗାଇବା ପାଇଁ କୁହାଯାଇଛି। ଯାହା ଦ୍ୱାରା ପିଲାମାନେ ଅତ୍ୟଧିକ ତେଲ ଖାଇବାରୁ ନିଜକୁ ରୋକିପାରିବେ ଓ ଏହାଦ୍ୱାରା ହେଉଥିବା କ୍ଷତି ବିଷୟରେ ମଧ୍ୟ ଜାଣିପାରିବେ।

ଆଜିକାଲି ପିଲାମାନେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ସହ ବହୁତ କମ୍ ଶାରୀରିକ କାର୍ଯ୍ୟକଳାପ କରୁଛନ୍ତି। ତେଣୁ ଆଜିକାଲି ପିଲାମାନଙ୍କ ମଧ୍ୟରେ ମେଦ ବହୁଳତା ବୃଦ୍ଧି ପାଉଛି। ତେବେ ଭାରତରେ ୨୦୨୧ରେ ୧୮ କୋଟି ଲୋକ ମେଦ ବହୁଳତାର ଶିକାର ହୋଇଥିବା ବେଳେ ୨୦୫୦ ସୁଦ୍ଧା ଏହା ୪୫ କୋଟିରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି।

CBSE ସମସ୍ତ ସ୍କୁଲକୁ ସେମାନଙ୍କ ଛାତ୍ର ଏବଂ କର୍ମଚାରୀମାନଙ୍କୁ ତେଲଯୁକ୍ତ ଖାଦ୍ୟର ନକାରାତ୍ମକ ପ୍ରଭାବ ବିଷୟରେ ଜଣେଇବାକୁ ନିର୍ଦ୍ଦେଶ ଦେଇଛି।

ତେବେ ଏଥିପାଇଁ ସ୍କୁଲଗୁଡ଼ିକ ନିମ୍ନଲିଖିତ ସରଳ ପଦ୍ଧତି ବ୍ୟବହାର କରିପାରିବେ:-

ଅଏଲ ବୋର୍ଡ ଲଗାଇବା:- ସ୍କୁଲ କାଫେଟେରିଆ, ଲବି, ୱେଟିଂ ହଲ ଭଳି ସାର୍ବଜନୀନ ସ୍ଥାନରେ ଅଏଲ ବୋର୍ଡ କିମ୍ବା ପୋଷ୍ଟର (ଡିଜିଟାଲ୍ କିମ୍ବା ପ୍ରିଣ୍ଟ) ଲଗାଯିବା ଉଚିତ। ଯାହା ଦ୍ୱାରା ପିଲାମାନେ ଏବଂ କର୍ମଚାରୀମାନେ ବୁଝିପାରିବେ ଯେ ଏହା ସେମାନଙ୍କ ପାଇଁ କ୍ଷତିକାରକ ଅଟେ।

ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମକୁ ପ୍ରୋତ୍ସାହିତ କରିବା:-ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଫଳ, ପନିପରିବା ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଇବାକୁ ଉତ୍ସାହିତ କରିବା ସହ ପିଲାମାନଙ୍କୁ ସିଡ଼ି ଚଢ଼ିବା, ବ୍ୟାୟାମ କରିବା ଏବଂ ଚାଲିବା ଭଳି କାର୍ଯ୍ୟକଳାପ କରିବାକୁ କହିବା।

ଏହା ବ୍ୟତୀତ ସ୍କୁଲଗୁଡ଼ିକ FSSAIର YouTube ଚ୍ୟାନେଲ ରୁ ଏବଂ ଭିଡିଓ, ପୋଷ୍ଟର ଇତ୍ୟାଦି ଦେଖିପାରିବେ ଏବଂ ଆବଶ୍ୟକ ହେଲେ, iec@fssai.gov.in କୁ ଇମେଲ୍ କରି ଅଧିକ ସୂଚନା ମଧ୍ୟ ପାଇପାରିବେ ବୋଲି କୁହାଯାଇଛି।

 

Comments are closed.