କରାଚୀ: ଅନେକ ସମୟରେ ଯେଉଁମାନେ ଖବର ପ୍ରସାରଣ କରୁଥାନ୍ତି ସେମାନଙ୍କୁ ନେଇ ମଧ୍ୟ ବହୁତ୍ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ। ତେବେ ପାକିସ୍ତାନର ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରେ ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ ସମୟରେ ପାଣିର ସ୍ରୋତରେ ଭାସି ଯାଇଥିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି।
ସୂଚନା ଅନୁଯାୟୀ, ରିପୋର୍ଟର ଜଣକ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ଠିଆ ହୋଇ ରିପୋର୍ଟିଂ କରୁଥିବା ସମୟରେ ହଠାତ୍ ଏକ ତୀବ୍ର ପାଣି ସ୍ରୋତ ଆସିଯାଇଥିଲା। ଯାହାଫଳରେ କିଛି ସେକେଣ୍ଡ ମଧ୍ୟରେ ତାଙ୍କ ମୁଣ୍ଡ ଏବଂ ହାତ ପାଣିରେ ବୁଡ଼ିଯାଇଥିଲା ଓ ଆଉ କିଛି ସମୟ ମଧ୍ୟରେ ରିପୋର୍ଟର ପାଣିରେ ଭାସି ଯାଇଥିଲେ। ଏସବୁର ଦୃଶ୍ୟ କ୍ୟାମେରାରେ ମଧ୍ୟ ରେକର୍ଡ ହୋଇଯାଇଛି। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନଭିନ୍ନ କମେଣ୍ଟ କରାଯାଉଛି। କେହି କେହି ଏହାକୁ ମୂର୍ଖତାପୂର୍ଣ୍ଣ ବୋଲି କହୁଥିବା ବେଳେ ଆଉ କେହି ପାକିସ୍ତାନ ଗଣମାଧ୍ୟମ ସାମ୍ବାଦିକଙ୍କ ଜୀବନ ସହ ଖେଳ ଖେଳୁଥିବା କହି ବର୍ଷିଛନ୍ତି।
ପାକିସ୍ତାନ ବର୍ତ୍ତମାନ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିର ସାମ୍ନା କରୁଛି। ବିଶେଷକରି ପଞ୍ଜାବ ପ୍ରଦେଶରେ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ତେବେ ଗତ ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଏହି କାରଣରୁ ସେଠାରେ ବର୍ତ୍ତମାନ୍ ସୁଦ୍ଧା ୫୪ ଜଣ ପ୍ରାଣ ହରାଇ ସାରିଛନ୍ତି। ସେହିପରି ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସରେ ସମଗ୍ର ଦେଶରେ ହାରାହାରି ଅପେକ୍ଷା ୮୨% ଅଧିକ ବର୍ଷା ରେକର୍ଡ କରାଯାଇଛି। ଯେଉଁଥିପାଇଁ ଅନେକ ଗାଁ ପାଣିରେ ବୁଡ଼ି ଯିବା ସହ ରାସ୍ତାଘାଟ ମଧ୍ୟ ବିଛିନ୍ନ ହୋଇଯାଇଛି।
ତେବେ ପ୍ରବଳ ବର୍ଷା ଯୋଗୁଁ ସେଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିଲେ ମଧ୍ୟ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଥିବା ଜଣାପଡିଛି।
Comments are closed.