Latest Odisha News

BREAKING NEWS

ଟ୍ରମ୍ପଙ୍କ ନିଷ୍ପତ୍ତି…ତାତିଲାଣି ଏଇ ଆଫ୍ରିକୀୟ ଦେଶ

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ନେଉଛନ୍ତି ଟ୍ରମ୍ପ ପ୍ରଶାସନ । ଆମେରିକା ଜେଲରେ ବନ୍ଦୀ ଥିବା ବିଦେଶୀ ଅପରାଧୀଙ୍କୁ ଆଫ୍ରିକୀୟ ଦେଶକୁ ପଠାଉଛନ୍ତି । ତେବେ ଏହାକୁ ନେଇ ଆଫ୍ରିକାର ଏସଓ୍ବାତିନିରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି । ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସୁରକ୍ଷା ବା ଡିଏଚଏସ ବିଭାଗ ପକ୍ଷରୁ ଏସ୍ବାତିନି ପଠା ଯାଇଥିବା ଅପରାଧୀଙ୍କୁ ଦୁଷ୍ଟ ରାକ୍ଷସ କୁହାଯାଇଛି । ତେଣୁ ଏଭଳି ବିପଜ୍ଜନକ ଅପରାଧୀଙ୍କୁ ନିଜ ଦେଶକୁ ପଠାଯିବା ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ସେଠାକାର ଲୋକେ । ଆମେରିକା ଓ ଏସଓ୍ବାତିନି ମଧ୍ୟରେ ନିର୍ବାସନକୁ ନେଇ ମାସେ ଧରି ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ଆମେରିକା ଆଫ୍ରିକୀୟ ଦେଶଙ୍କୁ ଅଳିଆ ଗଦା ଭାବୁଥିବା ଅଭିଯୋଗ ହୋଇଛି ।

ଆଫ୍ରିକୀୟ ଦେଶରେ ବଢୁଛି ପ୍ରଭାବ

ବିଦେଶୀ ଅପରାଧୀଙ୍କୁ ପଠାଇବା ନେଇ ଆମେରିକା ଅନେକ ଆଫ୍ରିକୀୟ ଦେଶଙ୍କ ସହ ବୁଝାମଣା ଉଦ୍ୟମ କରୁଛି । ନିର୍ବାସିତ ଭେନେଜୁଏଲା ନାଗରିକଙ୍କୁ ନିଜ ଦେଶକୁ ନେବାକୁ ଆମେରିକା ଚାପ ପକାଉଥିବା ନିକଟରେ ନାଇଜେରିଆର ବିଦେଶ ମନ୍ତ୍ରୀ ୟୁସୁଫ ଟୁଗର କହିଥିଲେ । ଏପରିକି କିଛି ଅପରାଧୀଙ୍କୁ ଜେଲରୁ ବାହାର କରି ଆଫ୍ରିକୀୟ ଦେଶକୁ ପଠାଇବାକୁ ଚାହୁଁଛନ୍ତି । ଗୋଟେପଟେ ଆମେରିକା ଆଫ୍ରିକୀୟ ଦେଶଙ୍କ ଉପରେ ଟାରିଫ ବଢାଉଛି । ସେମାନଙ୍କ ଭିସାର ବୈଧତା ଶେଷ କରୁଛି । ଅନ୍ୟପଟେ ଆଫ୍ରିକୀୟ ଦେଶଙ୍କୁ ଏଭଳି ଭାବେ ଅପରାଧୀ ପଠାଇ ବ୍ୟବହାର କରିବାକୁ ଚାହୁଁଥିବା ସେ କହିଥିଲେ ।

ଏସଓ୍ବାତିନି ଆସିଥିବା କଏଦୀ କିଏ?

ଏସଓ୍ବାତିନି ପଠାଯାଇଥିବା କଏଦୀଙ୍କୁ ନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ ଡିଏଚଏସ ମୁଖପାତ୍ର ଟ୍ରିସିଆ ମୈକଲଗଲିନ। ୫ଜଣ କଏଦୀ ଜାମାଇକା, ଲାଓସ, କ୍ୟୁବା, ୟମନ ଓ ଭିଏତନାମର ନାଗରିକ । ସେମାନେ ଏତେ ବର୍ବର ଯେ, ସେମାନଙ୍କୁ ନିଜ ଦେଶ ମଧ୍ୟ ଫେରାଇ ନେବାକୁ ମନା କରିଦେଇଥିଲେ । ଏସବୁ ଦୁଷ୍ଟ ରାକ୍ଷସ ଆମେରିକୀୟଙ୍କୁ ଡରାଉଥିଲେ । ତେବେ ଟ୍ରମ୍ପ ପ୍ରଶାସନ ସେମାନଙ୍କୁ ଆମେରିକା ମାଟିରୁ ଦୂରକୁ ପଠାଇ ଦେଇଛନ୍ତି । କଏଦୀମାନେ ଛୋଟ ପିଲାଙ୍କ ସହ ଦୁଷ୍କର୍ମ, ହତ୍ୟା ଡକାୟତି ପରି ସଂଗୀନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କଏଦୀଙ୍କୁ ଆମେରିକା ଓ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ ସହଯୋଗରେ ସେମାନଙ୍କ ନିଜ ଦେଶକୁ ପଠାଇବାକୁ ଉଦ୍ୟମ କରାଯିବ ବୋଲି ଏସଓ୍ବାତିନି ସରକାରଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ସମୟସୀମା ନିର୍ଦ୍ଧାରଣ କରାଯାଇନି।

କାହିଁକି ଅସନ୍ତୁଷ୍ଟ ଏସଓ୍ବାତିନି ଲୋକ?

ଆମେରିକା ନିଜ ଜେଲରେ ଥିବା ବିଦେଶୀ ଅପରାଧୀଙ୍କୁ ଏସଓ୍ବାତିନି ପଠାଇବାକୁ ଅପମାନଜନକ ମନେ କରୁଛନ୍ତି ସେଠାକାର ଲୋକେ । ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଏହି ଦେଶ ପୂର୍ବରୁ ହିଁ ଗରିବୀ, ବେକାରୀ ଓ ଉଚ୍ଚ ଅପରାଧୀ ହାର ସହ ଯୁଝୁଛି । ସେଠାକାର ଜେଲ୍ ବି ଅପରାଧୀରେ ପୂର୍ଣ୍ଣ ହୋଇ ରହିଛି । ବିଶ୍ବବ୍ୟାଙ୍କ ତଥ୍ୟ ଅନୁସାରେ, ଦେଶର ଅଧା ଜନସଂଖ୍ୟା ଦୈନିକ ୪ଡଲାରରୁ କମ୍ ଖର୍ଚ୍ଚରେ ଜୀବନ ଯାପନ କରୁଛନ୍ତି । ଆମେରିକା ପଠାଇଥିବା ଅପରାଧୀଙ୍କୁ ଦେଶରେ ରଖିବା ପୂର୍ବରୁ ହିଁ ଦୁର୍ବଳ ସଂପ୍ରଦାୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ବୋଲି ଦେଶର ବିରୋଧୀ ଦଳ ପିୟୁଡିଇଏମଓ ଆଶଙ୍କା ପ୍ରକାଶ କରିଛି । ଯେଉଁ ଅପରାଧୀଙ୍କୁ ଅନ୍ୟ କୌଣସି ଜାଗାରେ ରଖିବାକୁ ଯୋଗ୍ୟ ମନେ କରାଯାଉନି, ସେମାନଙ୍କୁ ଏସଓ୍ବାତିନିକୁ ପଠାଇ ଏହାକୁ ଅଳିଆ ଗଦା ମନେ କରାନଯାଉ ବୋଲି କହିଛି ।

ଏସଓ୍ବାତିନି ନ୍ୟୁଜର୍ସି ଆକାରର ଦେଶ । ପୂର୍ବରୁ ଏହାର ନାଁ ସ୍ବାଜିଲାଣ୍ଡରେ ଥିବା ବେଳେ ଏବେ ଏସଓ୍ବାତିନି ହୋଇଛି । ଦେଶରେ ରାଜତନ୍ତ୍ର ରହିଥିବା ବେଳେ ରାଜାଙ୍କ ହାତରେ ହିଁ କ୍ଷମତା ରହିଛି । ଆମେରିକାରୁ ନିର୍ବାସିତ ୫ଅପରାଧୀଙ୍କୁ ଜେଲରେ ଅଲଗା ଅଲଗା ରଖାଯାଇଛି ।

Comments are closed.