ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମୌସୁମୀ ଋୁତୁ ଲାଗି ପ୍ରସ୍ତୁତ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବଜାୟ ରଖିବା ଏବଂ ବର୍ଷା ଋତୁରେ ସମସ୍ତ ଗ୍ରାହକ ଓ ଅଂଶୀଦାରମାନଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ସୁରକ୍ଷା ପଦକ୍ଷେପଗୁଡ଼ିକ ପ୍ରସ୍ତୁତ କରାଯାଇଛି ।
ମୌସୁମୀ ଋୁତୁରେ ପାଣି ଜମିବା, ବଜ୍ରପାତ ଓ ବିଦ୍ୟୁତ୍ ଯୋଗାଣରେ ଅସ୍ଥିରତା ଭଳି ଆହ୍ୱାନ ଦେଖାଦେଇଥାଏ । ଏଭଳି ପରିସ୍ଥିତି ବିଦ୍ୟୁତ୍ ଜନିତ ଦୁର୍ଘଟଣାଗୁଡ଼ିକୁ ଏଡ଼ାଇବା ପାଇଁ ସଚେତନତା ଓ ପ୍ରତିଷେଧମୂଳକ ପଦକ୍ଷେପ ଆବଶ୍ୟକ । ନିଜକୁ, ନିଜ ପରିବାର ଓ ସମ୍ପତିର ସୁରକ୍ଷା ପାଇଁ ସୁରକ୍ଷିତ ଅଭ୍ୟାସ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦିଆଯାଇଛି ।
ଗ୍ରାହକଙ୍କ ପାଇଁ ମୌସୁମୀ ସମୟରେ ଅତ୍ୟାବଶ୍ୟକ ଟିପ୍ସ:
ଜଳାର୍ଣ୍ଣବ ଅଞ୍ଚଳଠାରୁ ଦୂରେଇ ରହିବା: ଜଳାର୍ଣ୍ଣବ ଥିବା ଅଞ୍ଚଳରେ ପ୍ରବେଶ କରନ୍ତୁ ନାହିଁ କିମ୍ବା ଚାଲନ୍ତୁ ନାହିଁ, କାରଣ ପାଣି ଭିତରେ ବୁଡ଼ି ରହିଥିବା ବିଦ୍ୟୁତ୍ ତାର କିମ୍ବା ଆପ୍ଲାଏନ୍ସେସ୍ ବିଦ୍ୟୁତ୍ ଝଟ୍କା ଭଳି ଗୁରୁତର ବିପଦ ସୃଷ୍ଟି କରିପାରେ ।
ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସେସ୍କୁ ପ୍ଲଗ୍ରୁ କାଢ଼ି ଦିଅନ୍ତୁ: ଘଡ଼ଘଡ଼ି, ପ୍ରବଳ ବର୍ଷା କିମ୍ବା ଝଡ଼ ସମୟର ବିଦ୍ୟୁତ୍ ପ୍ରବାହରେ ହଠାତ୍ ବୃଦ୍ଧି ଘଟିଥାଏ ଏହା ପ୍ରଭାବରୁ ସୁରକ୍ଷା ପାଇଁ ସମସ୍ତ ଅଣ ଅତ୍ୟାବଶ୍ୟକ ବିଦ୍ୟୁତ୍ ଆପ୍ଲାଏନ୍ସେସ୍ଗୁଡ଼ିକୁ ପ୍ଲଗ୍ରୁ କାଢ଼ି ଦିଅନ୍ତୁ ।
ବିଦ୍ୟୁତ୍ ବ୍ୟବସ୍ଥାର ଯାଞ୍ଚ କରନ୍ତୁ: ଆପଣଙ୍କ ଘରର ଓୟାରିଂ, ଆର୍ସିସିବି/ଇଏଲ୍ସିବି, ଏମ୍ସିବି ଓ ଫ୍ୟୁଜ୍ ଓ ଆର୍ଥିଂ ଠିକ୍ ଭାବେ କାମ କରୁଛି ନା ନାହିଁ ତାହାକୁ ନିୟମିତ ଭାବେ (ବର୍ଷକୁ ଅତିକମ୍ରେ ଥରେ) ଯାଞ୍ଚ କରନ୍ତୁ ।
ତଳେ ପଡ଼ିଥିବା ବିଦ୍ୟୁତ୍ ତାରଠାରୁ ଦୂରେଇ ରୁହନ୍ତୁ: ଯଦି କୌଣସି ବିଦ୍ୟୁତ୍ ତାର ତଳେ ପଡ଼ିଯାଇଛି ତେବେ ତା’ଠାରୁ ନିରାପଦ ଦୂରତା ବଜାୟ ରଖନ୍ତୁ ଏବଂ ଟିପିସିଓଡିଏଲ୍କୁ ସେ ବିଷୟରେ ତୁରନ୍ତ ଖବର ଦିଅନ୍ତୁ । ସେହିପରି, ବର୍ଷା ହେଉଥିବା ସମୟରେ କେବେବି ବିଦ୍ୟୁତ୍ ଖୁଣ୍ଟ କିମ୍ବା ବିଦ୍ୟୁତ୍ ପ୍ରବାହିତ ହେଉଥିବା ବୈଦ୍ୟୁତିକ ଢାଞ୍ଚାକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
ବିଦ୍ୟୁତ୍ ଉପକରଣଗୁଡ଼ିକୁ ଶୁଖିଲା ରଖନ୍ତୁ: ଇଲେକ୍ଟ୍ରିକାଲ୍ ଉପକରଣ ଓ ସ୍ୱିଚ୍ଗୁଡ଼ିକୁ ଶୁଖିଲା ରଖନ୍ତୁ ଏବଂ ଯେଉଁଠାରେ ସମ୍ଭବ ଆଦ୍ରତାକୁ ଏଡ଼ାଇବା ପାଇଁ ୱାଟରପ୍ରୁଫ୍ କଭର ଲଗାନ୍ତୁ ।
ପିଲାମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କରେ ସଚେତନ କରନ୍ତୁ: ପିଲାମାନଙ୍କୁ ବିଦ୍ୟୁତ୍ର ବିପଦ ବିଷୟରେ ସଚେତନ କରନ୍ତୁ ଏବଂ ମୌସୁମୀ ଋତରେ ସୁରକ୍ଷିତ ଆଚରଣ ଉପରେ ଗୁରୁତ୍ୱ ଦିଅନ୍ତୁ ।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ବିଶେଷ କରି ମୌସୁମୀ ଋତୁରେ ପାଣିପାଗ ସ୍ଥିତି ଯୋଗୁଁ ବିପଦ ଆଶଙ୍କା ବୃଦ୍ଧି ପାଉଥିବାରୁ ଟିପିସିଓଡିଏଲ୍ରେ ଆମେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛୁ । ସତର୍କ ରହିବା ଏବଂ ଏହି ସରଳ ତଥା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପଦକ୍ଷେପଗୁଡ଼ିକୁ ପାଳନ କରିବା ପାଇ ଆମେ ଆମ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦେଉଛୁ । ଆମେ ସମସ୍ତେ ମିଳିତ ଭାବେ ଏହି ଋତୁ ସାରା ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିପାରିବା।’’
ଗ୍ରାହକମାନେ ଜରୁରୀକାଳୀନ ସ୍ଥିତି, ବିଦ୍ୟୁତ୍ ବିଭ୍ରାଟ ଏବଂ ଯେକୌଣସି ପ୍ରକାରର ବିଦ୍ୟୁତ୍ ସମ୍ପର୍କିତ ବିପଦ ବିଷୟରେ ଆମ ୨୪ ଘଣ୍ଟିଆ ଦେୟମୁକ୍ତ ନମ୍ବର: ୧୮୦୦-୩୪୫-୭୧୨୨ କିମ୍ବା ୧୯୧୨, ଅଫିସିଆଲ ୱେବସାଇଟ୍: www.tpcentralodisha.com ଏବଂ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ଥିବା ମିତ୍ର ଆପ୍ ଜରିଆରେ ସୂଚନା ଦେଇପାରିବେ ।
Comments are closed.