Latest Odisha News

BREAKING NEWS

କଡା ତାଗିଦ୍ କଲେ କଟକ ଜିଲ୍ଲାପାଳ: ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ….

କଟକ: ପୁଣି କର୍ମଚାରୀଙ୍କୁ ସାବାଡ୍ କଲେ କଟକ ଜିଲ୍ଲାପାଳ । କଥା ନଶୁଣିବାରୁ ସିଧା ଦେଲେ ଦରମା ବନ୍ଦ ନିର୍ଦ୍ଦେଶ । କଟକ ଜିଲ୍ଲାର କିଛି କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ରିପୋର୍ଟ ଦାଖଲ କରିନଥିବାରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ।

ତେବେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ଏବେ କ୍ୟାମ୍ପସରେ ସୁରକ୍ଷା ନେଇ ତତ୍ପରତା ଦେଖାଇଥିବା ବେଳେ କଟକ ଜିଲ୍ଲାର ୨୧୦ଟି କଲେଜଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଆଇସିସି ରିପୋର୍ଟ ମାଗିଥିଲାଲେ ଜିଲ୍ଲା ପ୍ରଶାସନ । ଯେଉଁଥିରେ ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖାମଖିଆଲ ଭାବେ ଏହାଇ ଦେଇଛନ୍ତି ଅଧାରୁ ଅଧିକ କଲେଜ । ଏପର୍ଯ୍ୟନ୍ତ ଚିଠିର କୌଣସି ଉତ୍ତର ଦେଇନାହାନ୍ତି । ଯାହାକୁ ନେଇ ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ରିପୋର୍ଟ ଦେଇନଥିବା କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ଆଇସିସି ରିପୋର୍ଟ ନ ଦେଲେ ସେଇ ସବୁ କଲେଜର ଅଧ୍ୟକ୍ଷ ନିଲମ୍ୱିତ ହେବେ ବୋଲି ଚେତାବନୀ ଦିଆଯାଇଛି ।

ଜିଲ୍ଲାପାଳଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ଆଇସିସି ରିପୋର୍ଟ ଦାଖଲ ନକରାଯାଏ, ତେବେ କଲେଜ ଅଧ୍ୟକ୍ଷ ସସପେଣ୍ଡ ହେବେ । କହିରଖୁଛୁ, ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀଙ୍କ ଆତ୍ମହୂତି ପରେ କଲେଜ ଗୁଡିକରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଏଫଏମ କଲେଜର ପୀଡିତା ଛାତ୍ରୀ ଆଇସିସିରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତର ସହ ନିଆ ଯାଇନଥିଲା। ଫଳରେ ଏତେ ବଡ ଅଘଟଣ ଘଟିଲା, ଯାହାକୁ ନେଇ ଏବେ ସମ୍ବେଦନଶୀଳ ହୋଇଛି ପ୍ରଶାସନ ।

Comments are closed.