Latest Odisha News

BREAKING NEWS

୨ଟି କାରରୁ ୨୭ କିଲୋ ଗଞ୍ଜେଇ ଜବତ: ୫ ବିଟେକ୍ ଛାତ୍ର ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଗାଡି ଯାଞ୍ଚ ସମୟରେ ୨୭ କିଲୋ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଟେକ୍ ଛାତ୍ର ବୋଲି ଜଣାପଡିଛନ୍ତି ।

ଗିରଫ ଛାତ୍ରମାନଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଇରୀ ମଇଁଷି ଗୋଠର ସଂଗ୍ରାମ ରାଉତ ବୋଲି ଜଣାପଡ଼ିଛି । ଅନ୍ୟ ୩ ଜଣ କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଫକୀରପୁର ଗାଁର ରଂଜିତ କୁମାର ପାତ୍ର, ଘସିପୁରା ଥାନା ଖାଇଲୋ ଗାଁର ବୁଦ୍ଧଦେବ ପଳେଇ ଓ ଘସିପୁରା ଥାନା ଅଁଳାପାଳ ଗାଁର ଓମ୍ ପ୍ରତାପ ବାରିକ ବୋଲି ଜଣାପଡ଼ିଛି । ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୋବ୍ରା ଗାଁର ଦେବାଶିଷ ପ୍ରଧାନ ।

ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ, ଏହି ଗିରଫ ଛାତ୍ର ମାନେ ସମସ୍ତେ ଶିକ୍ଷିତ ପରିବାରରୁ ଆସିଛିନ୍ତି । ଏମାନଙ୍କ ମଧ୍ୟରେ ଜଣେ ଛାତ୍ରଙ୍କ ବାପା ଓକିଲ ହୋଇଥିବାବେଳେ, ଅନ୍ୟଜଣେ ଛାତ୍ରଙ୍କ ପିତା ଶିକ୍ଷକ ଓ ବାକି ଛାତ୍ରମାନଙ୍କ ବାପାମାନେ ବଡ଼ବଡ଼ ପଦବୀରେ ଥିବା ଜଣାପଡ଼ିଛି ।

କନ୍ଧମାଳ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ସଂଧ୍ୟା ସମୟରେ କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦେଶକ୍ରମେ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ଡିଏସପି ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ଫିରିଙ୍ଗିଆ ବାଲିଗୁଡା ରାସ୍ତାର ମାଶ୍ରୀପଡା ଛକ ନିକଟରେ ଗାଡିମଟର ଯାଞ୍ଚ କରୁଥିଲେ । ଏହି ସମୟରେ ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କାରରୁ ଏକ ଗଞ୍ଜେଇ ଭର୍ତି ବ୍ୟାଗ ବାହାରିଥିଲା ।

ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୬୦/୨୭ରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ମଙ୍ଗଳବାର ଗିରଫ ଛାତ୍ରମାନଙ୍କୁ ଜବତ ଗଞ୍ଜେଇ ଓ କାର ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ।

Comments are closed.